କନକ ବ୍ୟୁରୋ : ଭାରତର ପ୍ରତିଟି ଘରେ କିଛି ଥାଉ କି ନଥାଉ କିନ୍ତୁ ପୂଜା ଘରଟିଏ ନିହାତି ଥିବ । ଆଉ ପୂଜା ଘରେ ଠାକୁରଙ୍କ ପାଖରେ ଲଗାଇବା ପାଇଁ ଦୀପ ଓ ଧୂପର ବ୍ୟବହାର ମଧ୍ୟ ହୋଇଥାଏ । ପୂଜାରେ ବ୍ୟବହାର କରାଯାଉଥିବା ଧୂପ ଜଳାଇବା ଦ୍ବାରା ଘରେ ସୁଗନ୍ଧ ତ ଖେଳିଯାଏ କିନ୍ତୁ ଶରୀର ଉପରେ ବିପଦ ମଧ୍ୟ ଡାକିଆଣେ । ଧୂପର ଧୂଆଁ ଯୋଗୁଁ କର୍କଟ ଏବଂ ଶ୍ୱାସକ୍ରିୟା ସମ୍ବନ୍ଧୀୟ ରୋଗ ମଧ୍ୟ ହୋଇପାରେ । NIH (National Institute of Health) ମଧ୍ୟ ଏହା ଉପରେ ଏକ ଗବେଷଣା କରିଥିଲା । ଏହି ଅଧ୍ୟୟନ ଅନୁଯାୟୀ, ଘରେ ପ୍ରତିଦିନ ଜଳୁଥିବା ଦୀପ ଓ ଧୂପ ଆମ ଫୁସଫୁସକୁ କ୍ଷତି ପହଞ୍ଚାଇପାରେ । ଧୂପକାଠି ଧୂଆଁରେ ଏପରି ଯୌଗିକ ପଦାର୍ଥ ଥାଏ ଯାହା ଫୁସଫୁସରେ ଜମା ହୋଇ ରୋଗର କାରଣ ପାଲଟି ଥାଏ । ଆଜ୍‌ମା, ଅନ୍ୟ ଶ୍ୱାସକ୍ରିୟା ସମ୍ବନ୍ଧୀୟ ରୋଗ ସହିତ ଏହା ଫୁସଫୁସ କର୍କଟର ସମ୍ଭାବନା ମଧ୍ୟ ବଢ଼ାଇଥାଏ । ରିପୋର୍ଟରେ ଧୂପକାଠିର ଧୂଆଁକୁ ସିଗାରେଟ୍ ପରି ବିଷାକ୍ତ ବୋଲି କୁହାଯାଇଛି ।

Advertisment

ଧୂପକାଠି ଜଳାଇବା ପରେ ସେଥିରୁ PM 2.5 ଏବଂ PM 10 ଥିବା ଛୋଟ ଛୋଟ କଣିକା ନିର୍ଗତ ହୋଇଥାଏ । ଏହି ଛୋଟ କଣିକାଗୁଡ଼ିକ ଫୁସଫୁସ୍ ପାଇଁ ଅତ୍ୟନ୍ତ ବିପଜ୍ଜନକ । କିଛି ଧୂପରେ ସିଗାରେଟରେ ମିଳୁଥିବା ନିକୋଟିନ୍ ମଧ୍ୟ ଥାଇପାରେ । ଇଣ୍ଡିଆ ଟୁଡେ ରିପୋର୍ଟ ଅନୁସାରେ ସିକେ ବିର୍ଲା ହସ୍ପିଟାଲର ପଲମୋନୋଲୋଜି ବିଭାଗର ନିର୍ଦ୍ଦେଶକ ଡାକ୍ତର ବିକାଶ ମିତ୍ତଲ କୁହନ୍ତି ଯେ ଯଦି ଘରେ ସଠିକ୍ ଭେଣ୍ଟିଲେସନ୍ ନଥାଏ ତେବେ ଏହାର ଧୂଆଁ ଘରେ ଜମା ହୋଇପାରେ । ଧୂଆଁ ଜମା ହେବା କାରଣରୁ ଏହା ଫୁସଫୁସରେ ସଂକ୍ରମଣ ବଢ଼ାଇଥାଏ ଏବଂ ଶ୍ୱାସକ୍ରିୟା ସମସ୍ୟାକୁ ବଢ଼ାଏ ।
 
ଡାକ୍ତରମାନେ କୁହନ୍ତି ଯେ ପ୍ରତିଦିନ ଦୀପ ଜଳାଇବା ଦ୍ୱାରା ଶ୍ୱାସକ୍ରିୟା ସମ୍ବନ୍ଧୀୟ ରୋଗ ହୋଇଥାଏ । ଆଜ୍‌ମା, ବ୍ରୋଙ୍କାଇଟିସ୍ ଏବଂ ରାଇନାଇଟିସ୍ ଏଥିମଧ୍ୟରୁ ଅନ୍ୟତମ । ସେ କହିଛନ୍ତି ଯେ ଫୁସଫୁସ୍ କର୍କଟର ବିପଦ ମଧ୍ୟ ଏହାଦ୍ୱାରା ଦ୍ରୁତ ଗତିରେ ବଢ଼ିପାରେ । ନ୍ୟାସନାଲ୍ ହେଲ୍ଥ ରିପୋର୍ଟରେ ଦୀପ ଜଳାଇବା ଦ୍ୱାରା ଫୁସଫୁସ୍ କର୍କଟ ହେବାର ସମ୍ଭାବନାକୁ ସଠିକ୍ ବୋଲି କୁହାଯାଇଛି । ରିପୋର୍ଟରେ କୁହାଯାଇଛି ଯେ ଯେଉଁମାନେ ପ୍ରତିଦିନ ଦୀପ ଜଳାନ୍ତି କିମ୍ବା ଏହାର ଧୂଆଁରେ ରୁହନ୍ତି, ସେମାନଙ୍କ ଠାରେ ଫୁସଫୁସ କର୍କଟର ବିପଦ ୩୩% ଅଧିକ ଦେଖାଯାଏ । ଏହାକୁ ଏଡ଼ାଇବା ପାଇଁ ଆପଣ ଧୂପ ଜଳାଇବା ସମୟରେ ଘରର ଝରକା-ଦ୍ୱାର ଖୋଲା ରଖନ୍ତୁ । ପ୍ରତିଦିନ ଧୂପ ନ ଜଳାଇ ସୁଗନ୍ଧ ପାଇଁ ତାଜା ଫୁଲର ସ୍ପ୍ରେ ବ୍ୟବହାର କରନ୍ତୁ ।

ଫୁସଫୁସ କର୍କଟର ୭ଟି ପ୍ରାରମ୍ଭିକ ଲକ୍ଷଣ :

କାଶ- ଲଗାତାର କାଶ ହେବା ।
ରକ୍ତ ଦେଖାଯିବା- କାଶ ସହିତ କଫ କିମ୍ବା ଛେପରେ ରକ୍ତ ଆସିବା ।
ଶ୍ୱାସକ୍ରିୟାରେ ଅସୁବିଧା- କମ୍ ପରିଶ୍ରମରେ ମଧ୍ୟ ଶୀଘ୍ର ନିଶ୍ୱାସ ଫୁଲିବା ଏକ ଗମ୍ଭୀର ରୋଗର ସୂଚନା ଦିଏ ।
ଛାତିରେ ଯନ୍ତ୍ରଣା- ଗଭୀର ନିଶ୍ୱାସ ନେବା, କାଶିବା କିମ୍ବା ହସିବା ସମୟରେ ଛାତିରେ ଯନ୍ତ୍ରଣା କିମ୍ବା ଅସ୍ୱାଭାବିକତା ଅନୁଭବ କରିବା ।
ଶ୍ୱାସକ୍ରିୟା ସଂକ୍ରମଣ- ବାରମ୍ବାର ବ୍ରୋଙ୍କାଇଟିସ୍ କିମ୍ବା ନିମୋନିଆ ହେବା ।
ଭାରୀ ସ୍ୱର- ଦୀର୍ଘ ସମୟ ଧରି ସ୍ୱର ବସିଯିବା କିମ୍ବା ବଦଳିଯିବା ଏବଂ ସବୁବେଳେ ଗଳା ଖରାପ ରହିବା ।
ଓଜନ ଏବଂ ଭୋକ ନଲାଗିବା- ଯଦି ବିନା କୌଣସି କାରଣରେ ଆପଣଙ୍କ ଓଜନ କମୁଛି କିମ୍ବା ଆପଣଙ୍କୁ କମ୍ ଭୋକ ଲାଗୁଛି, ତେବେ ଏହା ମଧ୍ୟ ଫୁସଫୁସ କର୍କଟର ଏକ ଲକ୍ଷଣ ।

ଫୁସଫୁସ୍ କର୍କଟରୁ ବର୍ତ୍ତିବାର ଉପାୟ :

ସିଗାରେଟ୍ ପିଇବା ବନ୍ଦ କରନ୍ତୁ କିମ୍ବା କମ୍ କରନ୍ତୁ ।
ବାହାରର ପରିବେଶ ପରିଷ୍କାର ନଥିଲେ ମାସ୍କ ନିଶ୍ଚୟ ଲଗାନ୍ତୁ ।
ଖାଦ୍ୟରେ ତାଜା ଫଳ-ପନିପରିବା ଏବଂ ପୁଷ୍ଟିକର ଜିନିଷ ସାମିଲ କରନ୍ତୁ ।
ପ୍ରତିଦିନ ବ୍ୟାୟାମ କରନ୍ତୁ ।

ସମୟ ସମୟରେ କର୍କଟ ଯାଞ୍ଚ ପାଇଁ ସ୍କ୍ରିନିଂ କରାନ୍ତୁ । ବର୍ଷରେ ୨ ଥର ସ୍କ୍ରିନିଂ କରିବା ଦେହ ପାଇଁ ଉପଯୁକ୍ତ