କନକ ବ୍ୟୁରୋ: ଗଞ୍ଜାମ, କଟକ, ନୟାଗଡ଼ ପରେ ପୁରୀରୁ ଚୋରା ବନ୍ଧୁକ ଜବତ ହେବା ପରେ ଏହି ପ୍ରଶ୍ନ ଉଠିବା ସ୍ୱାଭାବିକ। ଆଗକୁ ରଥଯାତ୍ରା ଆସୁଛି। ତେଣୁ ଅପରାଧ ନିୟନ୍ତ୍ରଣ ପାଇଁ ପୁରୀ ପୁଲିସ ସ୍ୱତନ୍ତ୍ର ରଣନୀତି ଆପଣେଇ ଚଳାଇଛି ବଡ଼ ଅଭିଯାନ । ଏହି କ୍ରମରେ ଧରାପଡ଼ିଛନ୍ତି ୬ ଦୁର୍ଦ୍ଦାନ୍ତ ଅପରାଧୀ ଓ ତାଙ୍କଠୁ ଜବତ ହୋଇଛି ୬ ଚୋରା ବନ୍ଧୁକ ଓ ୨୦ରୁ ଅଧିକ ଗୁଳି।
ଦୁଇ ଦିନ ତଳେ ନୟାଗଡ଼ ଦଶପଲ୍ଲା ମଧ୍ୟଖଣ୍ଡ ଜଙ୍ଗଲରୁ ଠାବ ହୋଇଥିଲା ଦେଶୀ ବନ୍ଧୁକ କାରଖାନା। ବିପୁଳ ବନ୍ଧୁକ ତିଆରି ସାମଗ୍ରୀ, ଗୋଟିଏ ଦେଶୀ ବନ୍ଧୁକ ଓ ପିସ୍ତଲ ଜବତ ହୋଇଥିଲା । ସଂପୃକ୍ତ ଥିବା ୩ ଜଣଙ୍କୁ ବାନ୍ଧିଛି ଦଶପଲ୍ଲା ପୁଲିସ । ସେପଟେ ଗଞ୍ଜାମରେ ଅପରାଧୀଙ୍କୁ ଧରପଗଡ଼ ସମୟରେ ପାଖପାଖି ୪୦ ମାଉଜର, ୩୧ ମାଗାଜିନ୍, ୧୩୦ଟି ଜୀବନ୍ତ ଗୁଳି ଓ ଅନେକ ଦେଶୀ ବନ୍ଧୁକ ଜବତ ହୋଇଛି । ୫୭ ଜଣ ପେଶାଦାର ଅପରାଧୀଙ୍କୁ ଗିରଫ କରି ପୁଲିସ ଜେଲ ପଠାଇଛି । କିଛି ନାବାଳକ ମାଉଜର ସମ୍ପର୍କରେ ଅନଭିଜ୍ଞ ଥାଇ ମଧ୍ୟ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବାରୁ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରାଯାଉଛି । ମାସକ ଭିତରେ ଯଦି ଏତକ ମାଉଜର ଜବତ ହେବା ପରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ସାଧାରଣ ଲୋକ ।
କଟକ ବୟାଳିଶ ମୌଜା ଧବଳେଶ୍ୱର ଗାଁରେ ବନ୍ଧୁକ କାରଖାନା ଠାବ ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । କାରଖାନାରୁ ୩୦ଟି ବନ୍ଧୁକ ସହ ୨୦୦ରୁ ଅଧିକ ଅଧା ତିଆରି ବନ୍ଧୁକ ଓ ବିଭିନ୍ନ ସାମଗ୍ରୀ ଜବତ କରିଥିଲା ପୁଲିସ । ଧରା ପଡ଼ିବା ପରେ ଅଭିଯୁକ୍ତ ବଖାଣିଥିଲେ କେମିତି ବିହାରର ମୁଙ୍ଗେର ଓ କୋଲକାତାରୁ ବଛା ବଛା କାରିଗର ଆସି ବନ୍ଧୁକ ତିଆରି କରୁଥିଲେ । ଆଉ କଟକରୁ ସାରା ରାଜ୍ୟକୁ ଚାଲାଣ ହେଉଥିଲା ଚୋରା ବନ୍ଧୁକ ।