କନକ ବ୍ୟୁରୋ: ବାତ୍ୟା ଖୋଲିଦେଇଛି ଘରବଂଟାର ଗୁମର ।  ରାଜ୍ୟ ସରକାର କଚା ଘରେ ରହୁଥିବା ଲୋକଙ୍କୁ ପକ୍କା ଘର ଦେବାକୁ କହୁଛନ୍ତି ।  ସରକାର କହୁଛନ୍ତି, ଘର ବଂଟାଯାଉଛି । କିନ୍ତୁ କାହାକୁ ମିଳୁଛି ଘର ଓ ଏବେ ବି କେମିତି ଆହୁରି ଅଭାବ ରହୁଛି, ତାହା ବଡ ପ୍ରଶ୍ନ ସୃଷ୍ଟି କରିଛି । ବର୍ଷ ପରେ ବର୍ଷ ବିତିଗଲେ ବି ଏହି ଲକ୍ଷ୍ୟ ପୂରଣ ହୋଇପାରୁନାହିଁ । ବର୍ତମାନ ସୁଦ୍ଧା ୧୫ ଲକ୍ଷ ଲୋକ ଆବାସ ଘର ପାଇନାହାନ୍ତି । ମନ୍ତ୍ରୀ ଆଜି କହିଛନ୍ତି, ୨୦ ଲୋକଙ୍କୁ ଘର ଯୋଗାଇଦିଆଯିବ ।

Advertisment

ବାତ୍ୟା ଓ ଓଡିଶା । ଉଭୟ ଉଭୟଙ୍କ ଚିର ସହଚର । ବାତ୍ୟା ଆସିଲେ ଉପକୂଳ ଓଡିଶାବାସୀଙ୍କ ଛାତି ଥରିଉଠେ । କାହାକୁ ବାସହରା କରିଦିଏ ତ କାହାର ଜୀବିକା ଉଜାଡିଦିଏ । ଆଉ ବିପର୍ୟ୍ୟୟ ଯିବା ପରେ ପ୍ରଭାବିତଙ୍କୁ ଘର ଦେବାକୁ ଘୋଷଣା କରନ୍ତି ସରକାର । ଦୀର୍ଘ ବର୍ଷ ହେବ ଏଭଳି ଚାଲିଥିଲେ ବି ଏପର୍ୟ୍ୟନ୍ତ ପୂରଣ ହୋଇନି ଲକ୍ଷ୍ୟ । 

ଦାନା ପାଇଁ ସାଢେ ଆଠ ଲକ୍ଷ ଲୋକ ନିଜ ଭିଟାମାଟି ଛାଡି ବାତ୍ୟା ଆଶ୍ରୟସ୍ଥଳରେ ମୁଣ୍ଡ ଗୁଞ୍ଜିଥିଲେ ।  ଆଉ ବାତ୍ୟା ଛାଡିବା ପରେ ଏବେ ଘର ଭାଂଗି ଯାଇଥିବାରୁ ମୁଣ୍ଡ ଗୁଞ୍ଜିବାକୁ ସାହାରା ଖୋଜୁଛନ୍ତି। ଏହାରି ଭିତରେ ପ୍ରଭାବିତଙ୍କୁ ଆଶ୍ବାସନା ଦେଇଛନ୍ତି ସରକାର। କ୍ଷତିଗ୍ରସ୍ତଙ୍କୁ ଘର ଯୋଗାଇ ଦେବାକୁ ଘୋଷଣା କରଛନ୍ତି। 

ସବୁ ଗରିବଙ୍କୁ ପକା ଘର ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତି ଦେଇଥାନ୍ତି। ହେଲେ,  ପ୍ରତିବର୍ଷ ବନ୍ୟା, ବାତ୍ୟା ଆସିଲେ ଅସଲ ଚିତ୍ର ସାମନାକୁ ଆସେ। ଆଉ ଘର ଯୋଗାଇ ଦେବା କେମିତି ପ୍ରହସନରେ ପରିଣତ ହୋଇଛି ତାହା ଧରାପଡିଯାଏ। 

୧୯୯୯ ମହାବାତ୍ୟା ପରଠାରୁ ଏଭଳି ଚିତ୍ର ଲଗାତାର ଭାବେ ଆମ ସାମନାକୁ ଆସିଛି। ସବୁଥର ପ୍ରଭାବିତଙ୍କୁ ଘର ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତି ଦେଉଛନ୍ତି। ପରବର୍ତି ସମୟରେ ବିଭିନ୍ନ ଯୋଜନାରେ ସବୁ ଗରିବଙ୍କୁ ପକା ଘର ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଉଛି। କିନ୍ତୁ ଏହି ଟାର୍ଗେଟ ଏବେ ବି ଅପଂହଚ ହୋଇ ରହିଛି । ୨୪ ବର୍ଷ ଧରି ବିଜେଡି ସରକାର ରହିଥିଲେ ବି ଗରିବଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ପକ୍କା ଘର ମିଳିନି ।

ସରକାରୀ ହିସାବ ଅନୁସାରେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୫ ଲକ୍ଷ ଲୋକ ସରକାରୀ ଆବାସ ପାଇନାହାନ୍ତି । ଆବେଦନ କରି କରି ନୟାନ୍ତ ହେଲେଣି । ବାତ୍ୟା ଭିତରେ ପଂଚାୟତି ରାଜ ମନ୍ତ୍ରୀ ବଡ ଆଶ୍ବସ୍ତି ଦେଇଛନ୍ତି । କହିଛନ୍ତି, ଖୁବଶୀଘ୍ର ରାଜ୍ୟ ସରକାର ୨୦ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ଦିଆଯିବ । କେହି ବି ହିତାଧିକାରୀ ବାଦ ପଡିବେନି ।

 ୨୪ ବର୍ଷର ବିଜେଡି ସରକାର ପକ୍କା ଘର ପାଇଁ ଟାର୍ଗେଟ ରଖୁଥିଲେ । ଏବେ ନୂଆ ସରକାର ୨୦ ଲକ୍ଷ ପାଇଁ ଲକ୍ଷ୍ୟ ରଖିଛନ୍ତି । ପ୍ରଶ୍ନ ଉଠୁଛି, ଲକ୍ଷ୍ୟ ପୂରଣରେ ସମସ୍ୟା କେଉଁଠି ରହୁଛି ରାଜନୀତି ନା ଇଛାଶକ୍ତିର ଅଭାବ?