କନକ ବ୍ୟୁରୋ: ଅସଜଡ଼ା ହୋଇପଡ଼ିଛି ବିଜେଡି ସଂଗଠନ । ଦୀର୍ଘ ୭ ମାସ ହେଲା ଟ୍ରାକକୁ ଆସିପାରୁନି ଦଳର ସାଂଗଠନିକ କାର୍ଯ୍ୟକ୍ରମ। ନା ରାଜ୍ୟସ୍ତରୀୟ ପଦାଧିକାରୀଙ୍କ ନାଁ ଘୋଷଣା ହେଉଛି ନା ସାଂଗଠନିକ ନିର୍ବାଚନ ହୋଇପାରୁଛି । ବିଜେଡିର ସବୁକିଛି ଅଧା ଅଧାରେ ରହିଯାଇଛି । ବରିଷ୍ଠ ନେତା ବାରମ୍ୱାର ନବୀନ ନିବାସ ଯାଉଛନ୍ତି, ବିଜେଡି ସୁପ୍ରିମୋଙ୍କୁ ଭେଟି ପ୍ରସ୍ତାବ ରଖୁଛନ୍ତି, ହେଲେ କିଛି କାର୍ଯ୍ୟକାରୀ ହୋଇପାରୁ ନାହିଁ । ଯାହାକୁ ନେଇ ସ୍ୱର ଉଠାଇଲେଣି ବରିଷ୍ଠ ନେତା ।

Advertisment

ସାମ୍ନାକୁ ନଆସିଲେ ମଧ୍ୟ ନବୀନ ନିବାସ ବାହାରେ ଏକାଠି ହୋଇଛନ୍ତି କିଛି ନେତା। ଆଜି ଦଳର ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ସରକାରୀ ବାସଭବନରେ ଏକାଠି ହୋଇଥିଲେ ବିଜେଡିର ପୁରୁଖା ନେତା । ପ୍ରଫୁଲ୍ଲ ମଲ୍ଲିକ, ପଦ୍ମନାଭ ବେହେରା, ଅଶୋକ ପଣ୍ଡା, ଭୂପିନ୍ଦର ସିଂହ, ଦେବେଶ ଆଚାର୍ଯ୍ୟଙ୍କ ଭଳି ନେତା ବୈଠକ କରି ଦଳର ସଂଗଠନକୁ ଆଗକୁ କେମିତି ବଢ଼ାଇ ହେବ ଆଲୋଚନା କରିଛନ୍ତି। 

ବାଲେଶ୍ୱର ଠାରୁ ଆରମ୍ଭ କରି ଗଂଜାମ, ପୁରୀଠୁ ଆରମ୍ଭ କରି ଝାରସୁଗୁଡ଼ା । ଅଧିକାଂଶ ଜାଗାରେ ବିଜେଡିର ଗୋଷ୍ଠୀ କନ୍ଦଳ ତେଜିଲାଣି । ଅଧିଂକାଂଶ ନିର୍ବାଚନ ମଣ୍ଡଳିରେ ଦୁଇ ଦୁଇଟି ଗୋଷ୍ଠୀ। ଯାହା ବିଜେଡି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରୁଛି । ଏପରିକି ନବୀନ ତାଙ୍କୁ ନବୀନ ନିବାସ ଡାକି ତାଳିପକା ଉଦ୍ୟମ କରୁଛନ୍ତି। ହେଲେ ଦଳର ଏବେ ଦୁଇଟି ଗୋଷ୍ଠୀ ଥିବା କୁହାଯାଉଛି । କେତେବେଳେ କନିଷ୍ଠ ଏକାଠି ହେଉଛନ୍ତି, ପୁଣି କେତେବେଳେ ବରିଷ୍ଠ ଏକାଠି ହେଉଛନ୍ତି । କିଛି ଦିନ ପୂର୍ବରୁ ବ୍ରହ୍ମପୁରରେ କିଛି କନିଷ୍ଠ ନେତା ଏକାଠି ହୋଇଥିଲେ । 

ସୂଚନାଯୋଗ୍ୟ ଯେ, ଆଗକୁ ବିଜେଡି ସଂଗଠନରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଯୁବ, ମହିଳା, ଛାତ୍ର ସଭାପତିଙ୍କ ନାଁ ଘୋଷଣା ହେବ। ତେଣୁ କାହାକୁ ଆଗକୁ ଆଣିବେ, କାହାକୁ ବାଦ୍‌ ଦେବେ ତାହା ସୁପ୍ରିମଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ।