କନକ ବ୍ୟୁରୋ : କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଶଶୀ ଥରୁରଙ୍କ ପାଇଁ ଖୋଲିବକି ବିଜେରି ଦ୍ୱାର ? କଂଗ୍ରେସ ଛାଡି ବିଜେପିରେ ସାମିଲ ହେବେ କି ଥରୁର । ଏହି ପ୍ରଶ୍ନ ସେତେବେଳେ ଉଠୁଛି ଯେତେବେଳେ ଶଶୀ ଥରୁର ନିଜକୁ କେରଳର ମୁଖ୍ୟମନ୍ତ୍ରୀ ପାର୍ଥୀ ବୋଲି ଘୋଷଣା କରିଛନ୍ତି ।
କେରଳରେ ଆସନ୍ତା ବର୍ଷ ବା ୨୦୨୬ ଏପ୍ରିଲ୍ ମାସରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ଏହାରି ଭିତରେ କିନ୍ତୁ କେରଳରେ କଂଗ୍ରେସର ଅନ୍ତଃ କନ୍ଦଳ ପଦାରେ ପଡିଛି । ନିଜକୁ କେରଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ । କେରଳରେ ବାମପନ୍ଥୀ ସରକାରକୁ ପ୍ରଶଂସା କରିବା ନେଇ ସୃଷ୍ଟି ହୋଇଥିବା ବିବାଦ ଚାଲିଛି । ଏହାରି ମଧ୍ୟରେ ଥରୁର୍ ଆଜି କଂଗ୍ରେସକୁ ସମାଲୋଚନା କରି କହିଛନ୍ତି ଯେ କେରଳର କଂଗ୍ରେସରେ ଜଣେ ନେତାଙ୍କ ଅନୁପସ୍ଥିତି ରହିଛି । ଦଳ ଏହାକୁ ହୃଦୟଙ୍ଗମ କରୁନାହିଁ । ଯଦି କଂଗ୍ରେସ ଦଳ ମୋତେ ଆବଶ୍ୟକ କରୁନାହିଁ ତା’ହେଲେ ମୋ ପାଖରେ ଅନ୍ୟ ବିକଳ୍ପ ରହିଛି । କେରଳରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନିଜର ଦାବିକୁ ଦୋହରାଇ ଥରୁର୍ କହିଛନ୍ତି, ଜନମତ ସର୍ବେକ୍ଷଣରୁ ଜଣାପଡିଛି ଯେ ସେ କେରଳରେ ନେତୃତ୍ୱ କ୍ଷେତ୍ରରେ ଅନ୍ୟମାନଙ୍କ ଠାରୁ ଆଗରେ ଅଛନ୍ତି । ଯଦି ଦଳ ମୋର ଲୋକପ୍ରିୟତାକୁ ବ୍ୟବହାର କରିବାକୁ ଚାହୁଛି, ତେବେ ମୁଁ ଦଳ ପାଇଁ ରହିବି । ଯଦି ନୁହେଁ, ତା’ହେଲେ ମୋର ନିଜର କିଛି ପଦକ୍ଷେପ ନେବାର ଅଛି । ମୋର ସଂସଦୀୟ କ୍ଷେତ୍ରରେ କଂଗ୍ରେସକୁ ଚାହୁନଥିବା ଲୋକେ ମଧ୍ୟ ମୋତେ ଭୋଟ୍ ଦେଇ ନିର୍ବାଚିତ କରିଛନ୍ତି ବୋଲି ଥରୁର୍ କହିଛନ୍ତି । ତାଙ୍କ ଏଭଳି ବୟାନ ଦଳରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ କେରଳ କଂଗ୍ରେସର ଅଡୁଆ ବଢ଼ିଯାଇଛି । ଥରୁରଙ୍କ ଏହି ବୟାନ ସ୍ପଷ୍ଟ କରୁଛି କଂଗ୍ରେସ ଧଳରେ ତାଙ୍କୁ ଗୁରୁତ୍ୱ ଦିଆଯାଉନାହିଁ ।