କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଇରାନ ଉପରେ ସମ୍ଭାବ୍ୟ ସାମରିକ ଆକ୍ରମଣ ପାଇଁ ନିଜର ସାମରିକ ଉପସ୍ଥିତି ବୃଦ୍ଧି କରିବା ନେଇ ଚେତାବନୀ ଦେଇଛନ୍ତି । ଏନେଇ ଆରବ ଓ ମୁସଲିମ ଦେଶ ଚିନ୍ତିତ ହୋଇପଡ଼ିଛନ୍ତି । ସେମାନେ ଆମେରିକା ଓ ଇରାନ ଉଭୟକୁ ସଂଯମତା ଅବଲମ୍ବନ କରିବାକୁ ଅନୁରୋଧ କରୁଛନ୍ତି । ସାଉଦି ଆରବ, ତୁର୍କୀ, ଓମାନ ଓ କତାର ଭଳି ଦେଶଗୁଡ଼ିକ ବର୍ତ୍ତମାନ ଆମେରିକାର ରାଜଧାନୀ ୱାଶିଂଟନ ତଥା ଇରାନର ରାଜଧାନୀ ତେହେରାନ ସହିତ ଯୋଗାଯୋଗରେ ଅଛନ୍ତି । ଏହି ଦେଶଗୁଡ଼ିକ ଅନୁମାନ କରୁଛନ୍ତି ଯେ, ଯଦି ଆମେରିକା ଅବା ଇରାନ ପରିସ୍ଥିତିକୁ ଆହୁରି ଖରାପ କରନ୍ତି, ତେବେ ଏହାର ପ୍ରଭାବ ସମଗ୍ର ମଧ୍ୟପ୍ରାଚ୍ୟ ଉପରେ ପଡ଼ିବ । ଏହା ରାଜନୈତିକ ଅସ୍ଥିରତା ବୃଦ୍ଧି କରିବା ସହିତ ତୈଳ ଓ ଗ୍ୟାସ ବଜାରକୁ ମଧ୍ୟ ଗୁରୁତର ଭାବରେ ପ୍ରଭାବିତ କରିବ । ଫଳରେ ବିଶ୍ୱ ଅର୍ଥନୀତିରେ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି ।
ଆମେରିକା-ଇରାନ ଯୁଦ୍ଧକୁ ନେଇ ଭୟଭୀତ ଆରବ ଦେଶ
ଆରବ ଦେଶଗୁଡ଼ିକ ଭୟ କରୁଛନ୍ତି ଯେ, ଯଦି ଆମେରିକା ଇରାନ ଉପରେ ଆକ୍ରମଣ କରେ, ତେବେ ଇରାନ ପ୍ରତିଶୋଧ ନେଇପାରେ । ଇରାନ ସିଧାସଳଖ ଆମେରିକାର ସାମରିକ ଘାଟିଥିବା ଆରବ ଦେଶଗୁଡ଼ିକ ଉପରେ ଆକ୍ରମଣ କରି ସେସବୁ ଘାଟିକୁ ନଷ୍ଟ କରିବାକୁ ଉଦ୍ୟମ କରିବ।ଫଳରେ ପରୋକ୍ଷ ଭାବେ ସେସବୁ ଆରବ ଦେଶ ନଚାହିଁ ମଧ୍ୟ ଯୁଦ୍ଧ ଜାଲରେ ପଡ଼ିଯିବେ ।
ଅଧିକ ପଢ଼ନ୍ତୁ---ଧ୍ୱଂସ ହୋଇଥିବା ପରମାଣୁ କେନ୍ଦ୍ରରେ ଛାତ ନିର୍ମାଣ କରୁଛି ଇରାନ: ସାଟେଲାଇଟ୍ ଚିତ୍ର ନେଇ ବଢ଼ିଲା ଆମେରିକା-ଇସ୍ରାଏଲ ଚିନ୍ତା
ସାଉଦି ପ୍ରତିରକ୍ଷା ମନ୍ତ୍ରୀ ୱାସିଂଟନରେ
ସାଉଦି ଆରବର ପ୍ରତିରକ୍ଷା ମନ୍ତ୍ରୀ ଖାଲିଦ ବିନ୍ ସଲମାନ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି ଯେ, ସେ ୱାସିଂଟନରେ ଅନେକ ବରିଷ୍ଠ ଆମେରିକୀୟ ନେତାଙ୍କ ସହ ସାକ୍ଷାତ କରିଛନ୍ତି । ଏଥିରେ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍, ଟ୍ରମ୍ପଙ୍କ ଆଞ୍ଚଳିକ ଦୂତ ଷ୍ଟିଭ୍ ୱିଟକଫ ଓ ଆମେରିକୀୟ ଶୀର୍ଷ ସାମରିକ ଅଧିକାରୀ ଜେନେରାଲ ଡାନ୍ କେନ୍ ସାମିଲ ଥିଲେ । ଏହି ବୈଠକଗୁଡ଼ିକରେ ଆଞ୍ଚଳିକ ଓ ବିଶ୍ୱ ଶାନ୍ତି ବଜାୟ ରଖିବା ଉପରେ ଆଲୋଚନା ହୋଇଥିଲା । ଇତିମଧ୍ୟରେ ଟ୍ରମ୍ପ ଇରାନ ବିରୋଧରେ ସମ୍ଭାବ୍ୟ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ନିଜର କାରଣ ମଧ୍ୟ ବଦଳାଇଛନ୍ତି । ପୂର୍ବରୁ, ସେ କହିଥିଲେ ଯେ, ପ୍ରତିବାଦକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଓ ଅତ୍ୟାଚାର ଯୋଗୁ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ । କିନ୍ତୁ ଏବେ ସେ ଇରାନର ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରିବା ବିଷୟରେ କହୁଛନ୍ତି । ଟ୍ରମ୍ପ ଏହା ମଧ୍ୟ ଦାବି କରିଛନ୍ତି ଯେ, ଜୁନ୍ ମାସରେ ଆମେରିକା ଆକ୍ରମଣରେ ଇରାନର ପରମାଣୁ ପ୍ରତିଷ୍ଠାନଗୁଡ଼ିକ ସମ୍ପୂର୍ଣ୍ଣ ଧ୍ୱଂସ ପାଇଯାଇଥିଲା ।
ଯୁଦ୍ଧ ଚାହୁ ନାହାନ୍ତି ଟ୍ରମ୍ପ
ଟ୍ରମ୍ପ କହିଛନ୍ତି,ସେ ଯୁଦ୍ଧ ଚାହାନ୍ତି ନାହିଁ , ସେ ଇରାନ ସହିତ ଏକ ଚୁକ୍ତି ଚାହାନ୍ତି । ସେ କହିଛନ୍ତି, ଆଶା କରୁଛୁ, ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତି ହେବ । କିନ୍ତୁ ଯଦି ନହେବ ତେବେ ପରବର୍ତ୍ତୀ ସମୟରେ କ'ଣ ହେବ ତାହା କହିବା କଷ୍ଟକର । ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ ଇରାନକୁ ଏକ ସମୟସୀମା ଦେଇଛନ୍ତି କି, ସେ ସ୍ପଷ୍ଟ ଉତ୍ତର ଦେଇ ନଥିଲେ । କହିଥିଲେ ଏହି ପ୍ରସଙ୍ଗ ସହ ଜଡ଼ିତ ବ୍ୟକ୍ତିମାନେ ଏ ସମ୍ପର୍କରେ ଜାଣିଛନ୍ତି । ଟ୍ରମ୍ପ ପ୍ରଶାସନର ଅଧିକାରୀ କହିଛନ୍ତି, ପରମାଣୁ ପ୍ରସଙ୍ଗରେ ଟ୍ରମ୍ପଙ୍କ ନୂଆ ରଣନୀତିରେ ପରିବର୍ତ୍ତନର ସଙ୍କେତ ଦେଉନାହିଁ । ଇରାନ ସହିତ ମୁକାବିଲା କରିବା ପାଇଁ ତାଙ୍କର ବ୍ୟାପକ ଆଭିମୁଖ୍ୟର ଏହା ଏକ ଅଂଶ। ପ୍ରାରମ୍ଭରେ ଟ୍ରମ୍ପ ଜନସାଧାରଣଙ୍କୁ ଉତ୍ସାହିତ କରିବା ଓ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଇରାନରେ ବିରୋଧ ପ୍ରଦର୍ଶନ ଉପରେ ଗୁରୁତ୍ବାରୋପ କରିଥିଲେ । ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ଚେତାବନୀ ପରେ ଇରାନ ପ୍ରତିବାଦକାରୀଙ୍କୁ ମୃତ୍ୟୁଦଣ୍ଡ ଦେବାରୁ ନିବୃତ୍ତ ରହିଛି । ସେ ସ୍ୱୀକାର କରିଛନ୍ତି, ଅନେକ ଲୋକଙ୍କୁ ଏବେ ବି ହତ୍ୟା କରାଯାଉଛି । ଇରାନର ପରମାଣୁ କାର୍ଯ୍ୟକ୍ରମ ଆମେରିକା, ସମଗ୍ର ମଧ୍ୟପ୍ରାଚ୍ୟ ଓ ବିଶେଷକରି ଇସ୍ରାଏଲ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିପଦ ସୃଷ୍ଟି କରୁଛି । ଏହି ବିପଦକୁ ଦୂର କରିବା ଅତ୍ୟନ୍ତ ଜରୁରୀ ।
ଧମକ ମଧ୍ୟରେ କୌଣସି ଆଲୋଚନା ହେବ ନାହିଁ
ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କହିଛନ୍ତି, ତାଙ୍କ ଦେଶ ଆଲୋଚନା ପାଇଁ ପ୍ରସ୍ତୁତ । କିନ୍ତୁ ବର୍ତ୍ତମାନ ଆମେରିକା ସହିତ କୌଣସି ଠୋସ୍ ଆଲୋଚନାର ଯୋଜନା ନାହିଁ । ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି, ଇରାନ ଶାନ୍ତି ଓ ଯୁଦ୍ଧ ଉଭୟ ପାଇଁ ପ୍ରସ୍ତୁତ ।
ତୁର୍କୀର ପ୍ରୟାସ
ଦୁଇଦେଶ ମଧ୍ୟରେ ଜାରି ରହିଥିବା ଉତ୍ତେଜନାକୁ ହ୍ରାସ କରିବାକୁ ତୁର୍କୀ ଚେଷ୍ଟା କରୁଛି । ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଡୋଗାନ୍ ଇରାନ ଏବଂ ଆମେରିକା ମଧ୍ୟରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି,ଆଲୋଚନା ମାଧ୍ୟମରେ ଏହି ସଙ୍କଟର ସମାଧାନ ହୋଇପାରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/31/donald-trump-2026-01-31-12-33-13.jpg)