କନକ ବ୍ୟୁରୋ: ଓସ୍କାର ବିଜେତା ସଙ୍ଗୀତଜ୍ଞ ତଥା କଣ୍ଠଶିଳ୍ପୀ ଏଆର ରେହମାନଙ୍କୁ ନେଇ ବଡ ଖବର ଆସିଛି । ଏଆର ରେହମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସାରେ ଲାଗିଥିବା ସୂଚନା ରହିଛି ।

Advertisment

ସୂଚନା ଅନୁସାରେ, ଏଆର ରେହମାନଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରେହମାନଙ୍କର ଆଞ୍ଜିଓଗ୍ରାଫି ହୋଇପାରେ ବୋଲି କୁହାଯାଉଛି । ଯଦିଓ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ବିଶେଷ କିଛି ତଥ୍ୟ ମିଳିପାରିନାହିଁ।

ସଙ୍ଗୀତ ଦୁନିଆର ବାଦଶାହ ଭାବେ ପରିଚିତ ଏଆର ରେହମାନ୍ । ପିଲାଦିନରୁ ସଙ୍ଗୀତ ପ୍ରତି ରୁଚି ରଖିଥିବା ରେହମାନ୍ ପରବର୍ତ୍ତୀ ସମୟରେ ସଙ୍ଗୀତକୁ ହିଁ ଜୀବନ କରିନେଇଛନ୍ତି । ମାତ୍ର ୪ ବର୍ଷ ବୟସରୁ ପିଆନୋ ବଜାଇବା ଶିଖିଥିଲେ । କେବଳ ପିଆନୋ ନୁହେଁ ବରଂ ପିଲାଟି ଦିନରୁ ଏକାଧିକ ବାଦ୍ୟଯନ୍ତ୍ର ବଜାଇବାରେ ଦକ୍ଷତା ହାସଲ କରିଥିଲେ ରେହମାନ୍ । ରେହମାନଙ୍କ ବାପା ଆର କେ ଶେଖର ତାମିଲ ଓ ମାଲାୟାଲାମ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ମ୍ୟୁଜିକ କମ୍ପୋଜର ଥିଲେ । ଖୁବ୍ କମ୍ ବୟସରୁ ରେହମାନ ବାପାଙ୍କୁ ସଙ୍ଗୀତରେ ସହଯୋଗ କରୁଥିଲେ । ଏହିଭଳି ଭାବେ ତାଙ୍କର ସଙ୍ଗୀତ ଯାତ୍ରା ଆରମ୍ଭ ହୋଇଥିଲା । ଏକାଧିକ ଫିଲ୍ମରେ ତାଙ୍କ ଗୀତ ସବୁ ସୁପର ହିଟ୍ ହୋଇଆସିଛି।  । ଫିଲ୍ମ ’ଦିଲ ସେ ’, ’ଲଗାନ୍’, ଯୋଦ୍ଧା ଅକବର , ’ତାଲ୍’ ’ଦିଲ୍ଲୀ ୬’, ’ରଙ୍ଗ ଦେ ବସନ୍ତୀ’, ’ରକ୍ ଷ୍ଟାର’ ଆଦି ମୁଭିରେ ତାଙ୍କ ଗୀତ ହିଟ୍ ହୋଇଛି ।