କନକ ବ୍ୟୁରୋ: ଦିଲ୍ଲୀ ବିଧାନସଭା ଆସନ ପାଇଁ ଜାରି ରହିଛି ଭୋଟିଂ । ରାଜଧାନୀର ସମସ୍ତ ୭୦ ସିଟରେ ଚାଲିଥିବା ମତଦାନ ସନ୍ଧ୍ୟା ୬ଟା ଯାଏଁ ଚାଲିବ । ଏହି ସମୟରେ ଦିଲ୍ଲୀର ୧.୫୬ କୋଟି ଭୋଟର୍ସ ନିଜ ମତାଧିକାର ସାବ୍ୟସ୍ତ କରୁଛନ୍ତି ଆଉ ୭୦୦ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି । ଆଉ ଏହାର ଫଳାଫଳ ଫେବୃଆରୀ ୮ରେ ଆସିବ । 

Advertisment

ଦିଲ୍ଲୀ ପାଇଁ ଆମ ଆଦମୀ ପାର୍ଟି ତୃତୀୟଥର ସତ୍ତା ହାସଲ କରିବାକୁ ଲାଗିଥିବା ବେଳେ ବିଜେପି-କଂଗ୍ରେସ ଦିଲ୍ଲୀ ଗାଦି କବଜା ଲକ୍ଷ୍ୟରେ ରହିଛନ୍ତି । ବିଜେପି ୨୫ ବର୍ଷରୁ ଅଧିକ ସମୟ ଧରି ସତ୍ତା ହାସଲ କରିବାରେ ବିଫଳ ହୋଇଛି । ସେହିପରି କଂଗ୍ରେସ ଆମ ଆଦମି ପାର୍ଟି ପୂର୍ବରୁ ୧୫ ବର୍ଷ ସତ୍ତାରେ ରହିଥିଲା । ହେଲେ ଗତ ଦୁଇଟି ନିର୍ବାଚନରେ ଦଳ ଗୋଟିଏ ବି ସିଟ୍ ଜିତିବାରେ ସଫଳ ହୋଇପାରିନି । ତେବେ ଏଥର ବିଜେପି-କଂଗ୍ରେସ ଦିଲ୍ଲୀ ଦଖଲ ପାଇଁ ଜୋରସୋର ପ୍ରୟାସ କରୁଥିବା ବେଳେ ଆପ କିନ୍ତୁ ହ୍ୟାଟ୍ରିକ ଲକ୍ଷ୍ୟରେ ରହିଛି । ତେବେ ଦେଖିବାକୁ ବାକି ରହିଲା କିଏ କେତେ ସଫଳ ହେଉଛି । 

ରାଜଧାନୀ ଦିଲ୍ଲୀରେ ସମସ୍ତ ୭୦ ବିଧାନସଭା ସିଟରେ ୧୩ ହଜାର ୭୬୬ ପୁଲିଂ ବୁଥ ତିଆରି ହୋଇଛି । ୬୯୯ ପ୍ରାର୍ଥୀ ମୈଦାନରେ ଅଛନ୍ତି । ସେହିପରି ମତଦାନକୁ ସୁରୁଖୁରୁରେ ଆଗେଇ ନେବାକୁ ୨୨୦ କମ୍ପାନୀ ସୁରକ୍ଷା ବାହିନୀ ନିୟୋଜିତ ଅଛନ୍ତି । ଏହାସହ ୩୫, ୬୨୬ ଦିଲ୍ଲୀ ପୋଲିସ ଓ ୧୯ ହଜାର ହୋମଗାର୍ଡ ବି ନିୟୋଜିତ ରହିଛନ୍ତି । ୩ ହଜାର କେନ୍ଦ୍ରକୁ ସମ୍ୱେଦନଶୀଳ ମତଦାନ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି ।