କନକ ବ୍ୟୁରୋ :  ପ୍ରଥମ ମହିଳା ଭାବେ ଓଡ଼ିଶା ପ୍ରାଶାସନିକ ମଙ୍ଗୁଆଳର ଦାୟିତ୍ବ ନେଲେ ଅନୁ ଗର୍ଗ । ପ୍ରଶାସନରୁ ଶାସନ, ସବୁଠୁ ମହିଳାଙ୍କୁ ଗୁରୁଦାୟିତ୍ବ ଦେଇ ମହିଳା ସଶକ୍ତିକରଣର ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅନ୍ୟପଟେ ମନୋଜଙ୍କ ଷ୍ଟାଇଲରେ ଟିମୱର୍କରେ ବିଶ୍ବାସ କରୁଥିବା ଅନୁ ପ୍ରଥମେ କେଉଁ ଟାସ୍କକୁ ନେଇ ଆଗକୁ ବଢିବେ ତାହା ଉପରେ ପୁରା ରାଜ୍ୟର ନଜର । ପୁରୁଣା ବର୍ଷକୁ ବିଦାୟ ସହ ନୂଆ ମୁଖ୍ୟ ଶାସନ ସଚିବ ପାଇଛି ଓଡ଼ିଶା । ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଇଛନ୍ତି ୧୯୯୧ ମସିହା ବ୍ୟାଚ୍ ଆଇଏଏସ ଅଫିସର ଅନୁ ଗର୍ଗ । ପୂର୍ବତନ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଠାରୁ ଏହି କାର୍ଯ୍ୟଭାର ଗ୍ରହଣ କରିଛନ୍ତି ଅନୁ । ନୂଆବର୍ଷ ଠାରୁ ବିଧିବଦ୍ଧ ଭାବେ ନୂଆ ଦାୟିତ୍ବ ତୁଲାଇବେ ଅନୁ ଗର୍ଗ । ମୁଖ୍ୟ ଶାସନ ସଚିବ ଭାବେ ଅନୁଙ୍କ ସାମ୍ନାରେ ରହିବ ଅନେକ ଚ୍ୟାଲେଞ୍ଜ । 

Advertisment

ଅନୁ ଗର୍ଗ ନୂଆ ଦାୟିତ୍ବ ନେବା ପୂର୍ବରୁ ହିଁ ପାୱାର କରିଡରରେ ଆରମ୍ଭ ହୋଇଛି ହଲଚଲ । କିଛି ବରିଷ୍ଠ ଆଇଏଏସ ଅଫିସରଙ୍କୁ ପଦୋନ୍ନତି ସହ ବଡ ଧରଣର ଅଦଳବଦଳ ନେଇ ସଂକେତ ମିଳିଛି । ପ୍ରାଶାସନିକ ମଙ୍ଗ ଧରିବା ପରେ ନୂଆ ଟିମ୍ ଗଠନ ଚାଲିଛି ଅଙ୍କକଷା । କାହାକୁ ଭରଷିବେ ଅନୁ ? ତାହାକୁ ନେଇ ଜିଲ୍ଲାସ୍ତରରୁ ତୃତୀୟ ମହଲା ଯାଏଁ ଭିନ୍ନ ଭିନ୍ନ ଚର୍ଚ୍ଚା । ଅନ୍ୟପଟେ ଲୋକଙ୍କ ସରକାରରେ ଲୋକଙ୍କ ପାଇଁ ଟିମ୍‌ ୱର୍କ ହୋଇ କାମ କରିବାକୁ ପରାମର୍ଶ ଦେଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ମୋହନ ସରକାରଙ୍କ ଭାବମୂର୍ତ୍ତି ସଜାଡିବା ଏବଂ ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ ମନୋଜ । ତେଣୁ ଏହି ଧାରାକୁ ବଜାୟ ରଖିବା ଅନୁଙ୍କ ପାଇଁ ସାଜିବ ବଡ ଆହ୍ବାନ ।

ଅଧିକ ପଢ଼ନ୍ତୁ---ଭାରତୀୟ ରାଜନୀତିରେ ୨୦୨୫ ବର୍ଷ, ଦେଖନ୍ତୁ ନେତା, ନୀତି ଓ ନ୍ୟାୟାଳୟକୁ ନେଇ କ'ଣ ସବୁ ଥିଲା ଚର୍ଚ୍ଚାରେ