କନକ ବ୍ୟୁରୋ: ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ସାରା ବିଶ୍ୱରେ ରହୁଥିବା ଭାରତୀୟଙ୍କ ମଧ୍ୟରେ ପାକିସ୍ତାନ ବିରୋଧରେ ଆକ୍ରୋଶ ଦେଖିବାକୁ ମିଳିଛି । ଲଣ୍ଡନରେ ରହୁଥିବା ପ୍ରବାସୀ ଭାରତୀୟମାନେ ପାକିସ୍ତାନ ହାଇକମିଶନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି । ଭାରତୀୟ ସମ୍ପ୍ରଦାୟର ଲୋକମାନେ ହାତରେ ଭାରତୀୟ ପତାକା, ବ୍ୟାନର ଓ ପ୍ଲାକାର୍ଡ ଧରି ନିରୀହ ଭାରତୀୟଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି ।
ଲଣ୍ଡନସ୍ଥିତ ପାକିସ୍ତାନ ହାଇକମିଶନ୍ ବାହାରେ ବିକ୍ଷୋଭକାରୀମାନେ ଆତଙ୍କବାଦ ବିରୋଧରେ ସ୍ଲୋଗାନ୍ ଦେବା ସହ ଏଭଳି ଆକ୍ରମଣ ପାଇଁ ଦାୟୀ ଆତଙ୍କବାଦୀ ସଙ୍ଗଠନଗୁଡ଼ିକୁ ସମର୍ଥନ ଓ ଆଶ୍ରୟ ଦେଉଥିବା ଅଭିଯୋଗରେ ପାକିସ୍ତାନକୁ ସମାଲୋଚନା କରିଛନ୍ତି । 'ଭାରତ ମାତା କି ଜୟ' ଓ 'ପାକିସ୍ତାନ ମୁର୍ଦ୍ଦାବାଦ' ସ୍ଲୋଗାନ ଦେବା ସହ 'ମୁଁ ହିନ୍ଦୁ' ଲେଖାଥିବା ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଭାରତୀୟ ।