Photograph: (KANAKNEWS)
କନକ ବ୍ୟୁରୋ : ତାମିଲନାଡୁ ଯୁବ କଂଗ୍ରେସ ଅଭିନେତା ଶିବକାର୍ତିକେୟନଙ୍କ ଚଳଚ୍ଚିତ୍ର ପରାଶକ୍ତି ଉପରେ ପ୍ରତିବନ୍ଧକ ଲଗାଇବାକୁ ଆହ୍ୱାନ ଦେଇଛି । ଫିଲ୍ମରେ ଦଳ ସହିତ ଜଡିତ ତଥ୍ୟ ତଥା ଐତିହାସିକ ଘଟଣାଗୁଡ଼ିକୁ ବିକୃତ କରାଯାଇଥିବା ଅଭିଯୋଗ ହୋଇଛି । ଚଳଚ୍ଚିତ୍ରଟିକୁ ଡିଏମକେ ସମର୍ଥକ ଏବଂ ହିନ୍ଦୁ ବିରୋଧୀ ବୋଲି ଯୁବ କଂଗ୍ରେସ କହିଛି । ୧୯୬୦ ଦଶକର ଛାତ୍ର ବିପ୍ଳବ ଏବଂ ହିନ୍ଦୀ ବିରୋଧୀ ପ୍ରତିବାଦ ଉପରେ କେନ୍ଦ୍ରିତ ''ପରାଶକ୍ତି' ଜାନୁଆରି ୧୦ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରଟି ସେନ୍ସର ବୋର୍ଡରୁ ୨୫ ଟି କଟ୍ ପାଇଥିଲା ଏବଂ କିଛି ଦୃଶ୍ୟକୁ କାଳ୍ପନିକ ଭାବରେ ଲେବଲ୍ କରାଯାଇଥିଲା ।
ଗ୍ରିନ୍ଲ୍ୟାଣ୍ଡର ଶକ୍ତିଶାଳୀ କୁକୁର ସେନା ; ଯାହାଙ୍କୁ ଭୟ କରୁଛନ୍ତି ଡୋନାଲ୍ଡ ଟ୍ରମ୍ପ
ତାମିଲନାଡୁ ଯୁବ କଂଗ୍ରେସର ବରିଷ୍ଠ ଉପାଧ୍ୟକ୍ଷ ଅରୁଣ ଭାସ୍କର ଅଭିଯୋଗ କରିଛନ୍ତି, ପରଶକ୍ତି ଏକ ଡିଏମକେ-ସମର୍ଥକ ଚଳଚ୍ଚିତ୍ର । ଫିଲ୍ମକୁ ସେ ତାମିଲ-ସମର୍ଥକ, ହିନ୍ଦୁ ବିରୋଧୀ ଦୃଷ୍ଟିକୋଣ ବୋଲି କହିଛନ୍ତି । ସେ ଅଭିଯୋଗ କରିଛନ୍ତି, ଫିଲ୍ମଟି ମିଥ୍ୟା ଭାବରେ ସୂଚାଇ ଦେଉଛି, ପୋଷ୍ଟ ଅଫିସ ଫର୍ମରେ କେବଳ ହିନ୍ଦୀ ଭାଷାକୁ ଅନୁମତି ଦିଆଯାଇଛି । କଂଗ୍ରେସକୁ କଳଙ୍କିତ କରିବା ପାଇଁ ଏହା ଏକ କଳ୍ପ କଳ୍ପିତ ଫିଲ୍ମ । ଭାସ୍କର ଅଭିଯୋଗ କରିଛନ୍ତି, ୧୯୬୫ ମସିହାରେ, କଂଗ୍ରେସ ସରକାର କେବେ ବି ଆନୁଷ୍ଠାନିକ ଭାବରେ ଘୋଷଣା କରି ନଥିଲେ ଯେ, ସମସ୍ତ ରାଜ୍ୟରେ ପୋଷ୍ଟ ଅଫିସ ଫର୍ମ କେବଳ ହିନ୍ଦୀରେ ପୂରଣ କରାଯିବା ଆବଶ୍ୟକ ।
ଏହା ଆମ ଦଳକୁ ବଦନାମ କରିବା ପାଇଁ ଜାଣିଶୁଣି ସୃଷ୍ଟି କରାଯାଇଥିବା ଷଡ଼ଯନ୍ତ୍ର । ଭାସ୍କରଙ୍କ ଅନୁଯାୟୀ, ଫିଲ୍ମରେ ଶିବକାର୍ତ୍ତିକେୟନ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ହିନ୍ଦୀ ପ୍ରବର୍ତ୍ତନକୁ ବିରୋଧ କରିବା ପାଇଁ ଭେଟିଥିବା ଦେଖାଯାଇଛି । ଇନ୍ଦିରା ଗାନ୍ଧି ଫେବ୍ରୁଆରି ୧୨ ତାରିଖରେ କେବେ କୋଏମ୍ବାଟୁର ଆସି ନଥିଲେ । ଏହି ସାକ୍ଷାତ ଆଦୌ ହୋଇ ନଥିଲା । ସେଦିନ ସେ କୋଏମ୍ବାଟୁରରେ ନଥିଲେ । ଭାସ୍କର ଏହି ଦୃଶ୍ୟକୁ କାଳ୍ପନିକ ବୋଲି କହିଛନ୍ତି । ଅନ୍ୟ ଏକ ସିକ୍ୱେନ୍ସ ଉପରେ ଆପତ୍ତି ଉଠାଇ ସେ କହିଛନ୍ତି ଯେ, ଏହି ସିନେମାରେ ଇନ୍ଦିରା ଗାନ୍ଧିଙ୍କ ସାମ୍ନାରେ ଏକ ଜଳନ୍ତା ଟ୍ରେନ୍ ପଡ଼ିବା ଦର୍ଶାଯାଇଛି, ଯାହାକୁ ସେ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ବର୍ଣ୍ଣନା କରିଛନ୍ତି । ଏହା ସମ୍ପୂର୍ଣ୍ଣ ଅବାନ୍ତର ଓ ବାସ୍ତବତା ସହିତ ଏହାର କୌଣସି ସମ୍ପର୍କ ନାହିଁ ବୋଲି ଅଭିଯୋଗ କରିଛନ୍ତି ।
ଫିଲ୍ମରେ ମିଥ୍ୟା ଭାବରେ ଇନ୍ଦିରା ଗାନ୍ଧିଙ୍କୁ ୧୨ ଫେବ୍ରୁଆରି ୧୯୬୫ରେ କୋଏମ୍ବାଟୁର ଗସ୍ତରେ ଥିବା ଦେଖାଯାଇଛି । ଏପରି ଏକ ଗସ୍ତ ଯାହା କେବେ ହୋଇ ନଥିଲା । ଏହା ପରେ ତାଙ୍କ ଉପସ୍ଥିତିରେ ଏକ ଟ୍ରେନରେ ନିଆଁ ଲଗାଇବାର ଦୃଶ୍ୟକୁ ପ୍ରସ୍ତୁତ କରାଯାଇଛି ।
ତାଙ୍କୁ ହିନ୍ଦୀ ଲାଗୁ କରିବା ବିରୋଧରେ ଦସ୍ତଖତ କରୁଥିବା ଭାବରେ ଚିତ୍ରଣ କରାଯାଇଛି। ଇତିହାସରେ ଏହି ଘଟଣାଗୁଡ଼ିକ ମଧ୍ୟରୁ କୌଣସିଟି କେବେ ଘଟିନାହିଁ ବୋଲି ସେ କହିଛନ୍ତି। ଭାସ୍କର ଫିଲ୍ମର କ୍ଲାଇମାକ୍ସକୁ ସମାଲୋଚନା କରି କହିଛନ୍ତି ଯେ, ଏଥିରେ ଇନ୍ଦିରା ଗାନ୍ଧି, ଲାଲ ବାହାଦୁର ଶାସ୍ତ୍ରୀ ଏବଂ କେ କାମରାଜଙ୍କ ବାସ୍ତବ ଜୀବନର ଫଟୋଗ୍ରାଫ୍ ଦେଖାଯାଇଛି। କଂଗ୍ରେସ ପୋଲାଚିରେ ୨୦୦ରୁ ଅଧିକ ତାମିଲ ଲୋକଙ୍କୁ ଗୁଳି କରି ହତ୍ୟା କରିଥିବା ଦେଖାଯାଇଛି।।
ଏଭଳି ଏକ ଗମ୍ଭୀର ଅଭିଯୋଗକୁ ସମର୍ଥନ କରିବା ପାଇଁ କୌଣସି ପ୍ରମାଣ ନାହିଁ ବୋଲି ସେ କହିଛନ୍ତି । ଆମେ ଏହି ଫିଲ୍ମର ନିନ୍ଦା କରୁଛୁ। ପରଶକ୍ତିରେ ଜାଣିଶୁଣି ଐତିହାସିକ ତଥ୍ୟକୁ ବିକୃତ କରାଯାଇଛି। ଏହା ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ। ସେ ଏପରି ସମସ୍ତ ଦୃଶ୍ୟକୁ ତୁରନ୍ତ ହଟାଇବା ଏବଂ ଚଳଚ୍ଚିତ୍ରର ପ୍ରଯୋଜନା ଦଳକୁ ସାର୍ବଜନୀନ କ୍ଷମା ମାଗିବାକୁ କହିଛନ୍ତି। ଭାସ୍କର ଚେତାବନୀ ଦେଇଛନ୍ତି ଯେ, ଯଦି ଚଳଚ୍ଚିତ୍ରକୁ ପ୍ରତ୍ୟାହାର ନ କରାଯାଏ ଏବଂ ଚଳଚ୍ଚିତ୍ରର ପ୍ରଯୋଜନା ଦଳ କ୍ଷମା ନ ମାଗନ୍ତି,
ତେବେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭାସ୍କର ଦଳୀୟ ସଦସ୍ୟମାନଙ୍କୁ ପ୍ରତିବାଦ କରିବାକୁ ଆହ୍ୱାନ ଦେଇ କହିଛନ୍ତି, ମୁଁ ସମସ୍ତ କଂଗ୍ରେସ କର୍ମୀଙ୍କୁ ଏହି ଅନ୍ୟାୟ ବିରୋଧରେ ସ୍ୱର ଉଠାଇବାକୁ ଅନୁରୋଧ କରୁଛି । ସୂଚନାଯୋଗ୍ୟ,ସୁଧା କଙ୍ଗରା ପ୍ରସାଦଙ୍କ ଦ୍ୱାରା ନିର୍ଦ୍ଦେଶିତ ପରାଶକ୍ତିରେ ମୁଖ୍ୟ ଭୂମିକାରେ ଶିବକାର୍ତ୍ତିକେୟନ, ରବି ମୋହନ, ଅଟାର୍ଭା ଓ ଶ୍ରୀଲେଲା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।
Follow Us