କନକ ବ୍ୟୁରୋ: ଖତ ଖାଉଛି କୋଭିଡ୍ ମୁକାବିଲା ସାମଗ୍ରୀ। କଟକ ସହିଦ୍‌ ଭବନ ପୁନରୁଦ୍ଧାର ବେଳେ ସାମ୍ନାକୁ ଆସିଛି ସତ। କୋଭିଡ୍ ସମୟରେ ପିପିଇ କିଟ୍‌ ସାଙ୍ଗକୁ ସାନିଟାଇଜର ଅଭାବ ଦେଖାଦେଇଥିଲା। କିନ୍ତୁ ଏବେ ଏହାକୁ ଫିଙ୍ଗା ଯାଇଛି ।  ଏହି ପ୍ରସଙ୍ଗରେ ସିଏମସି ମେୟର ଏବଂ କମିଶନରଙ୍କ କଥାରେ ତାଳମେଳ ରହୁନି ।

Advertisment

କଟକ ମହାନଗର ନିଗମ ଅଫିସ ସାମ୍ନା ସହିଦ ଭବନ ପରିସରରେ ଗଦା ହେଇଛି କୋଭିଡ୍ ମୁକାବିଲା ପାଇଁ କିଣାଯାଇଥିବା ବିଭିନ୍ନ ସାମଗ୍ରୀ । ଅଳିଆ ଗଦାରେ ପଡ଼ିଛି ପେଟିପେଟି ସାନିଟାଇଜର୍‌ ଓ ପିପିଇ କିଟ୍‌ । କାଳେ କିଏ ଦେଖିଦେବ, ସେଥିପାଇଁ ନୀଳରଙ୍ଗର ଚାଦର ତଳେ ଘୋଡ଼ାଇ ଦିଆଯାଇଛି । ଏଠି ପ୍ରଶ୍ନ ଉଠୁଛି,

କେଉଁଠି ଥିଲା ଏସବୁ ସାମଗ୍ରୀ?

କିଏ ଫିଙ୍ଗିଲା ଲକ୍ଷାଧିକ ଟଙ୍କାର ଜିନିଷ? 
କାହା ଅନୁମତିରେ ଅଳିଆ ଗଦାରେ ପଡ଼ିଛି?
କୋଭିଡ୍ ବେଳେ କୋଭିଡ୍ ଯୋଦ୍ଧାଙ୍କ ପାଇଁ କିଟ୍‌ ମିଳୁ ନଥିଲା
କିନ୍ତୁ ଏବେ ଖତ ଖାଉଛି । ଏହି ଘଟଣାରେ କଟକବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏହି ପ୍ରସଙ୍ଗରେ ମେୟର ଓ କମିଶନରଙ୍କ କଥାରେ ତାଳମେଳ ନାହିଁ। ମେୟର କହିଛନ୍ତି, କରୋନା ସମୟରେ ଏସବୁ ଜିନିଷକୁ କିଏ ଲୁଚାଇଥିଲା, ତାର ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯିବ । ସେପଟେ କମିଶନର କହିଛନ୍ତି, ତଦନ୍ତର ଆବଶ୍ୟକତା ନାହିଁ । ଟେଣ୍ଡର କରାଯାଇ ସାମଗ୍ରୀକୁ କବାଡ଼ି ବାଲାଙ୍କୁ ବିକ୍ରି କରାଯିବ । ଏବେ ଦେଖିବାର କଥା, କଣ ପଦକ୍ଷେପ ନିଆଯାଉଛି। ତଦନ୍ତ ହେବ ନା ଲୋକଙ୍କ ହିତ ପାଇଁ ଆସିଥିବା କୋଭିଡ୍ ମୁକାବିଲା ସାମଗ୍ରୀ  କବାଡ଼ିଆଙ୍କୁ ଟେକି ଦିଆଯିବ ।