କନକ ବ୍ୟୁରୋ: ବିଧାନସଭାରେ ଉଠିଲା ରାସନ୍ କାର୍ଡ ପ୍ରସଙ୍ଗ । ଅନ୍ୟ ରାଜ୍ୟରେ କାମ କରୁଥିବା ଦାଦନ ଶ୍ରମିକମାନେ କେମିତି ଇ-କେଓ୍ୱାଇସି କରିବେ ବୋଲି ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ବାସୁଦେବପୁର ବିଧାୟକ ଅଶୋକ ଦାସ । ଆଉ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଏନେଇ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । 

ମନ୍ତ୍ରୀଙ୍କ କହିବା ମୁତାବକ, ବିଗତ ଦିନରେ ରାସନ କାର୍ଡ ବଣ୍ଟନ ବ୍ୟବସ୍ଥାରେ ସ୍ୱଚ୍ଚତା ନଥିଲା, ତେଣୁ ଭୂତ କାର୍ଡ, ମୂଷା କାର୍ଡ ବାହାରୁଥିଲା । ଅନ୍ୟପଟେ ଇ-କେଓ୍ୱାଇସି ପ୍ରସଙ୍ଗରେ ଉତ୍ତର ରଖଇ ସେ କହିଛନ୍ତି, ଇ-କେଓ୍ୱାଇସି ନ କରିପାରିଲେ ରାସନ୍ କାର୍ଡ କଟିବ ନାହିଁ । ଇ-କେଓ୍ୱାଇସି କରିବାର ନିର୍ଦ୍ଧିଷ୍ଟ କୌଣସି ସମୟ ସୀମା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନରେ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି ଯେ, ଇ-କେଓ୍ୱାଇସି ଏକ ସମ୍ବେଦଳଶୀଳ ପ୍ରସଙ୍ଗ । ଏଥିପାଇଁ ସାଧାରଣ ଲୋକଙ୍କୁ ସରକାର ଅନୁରୋଧ କରିଛନ୍ତି । ତେବେ ଯେଉଁମାନେ ମାସେ ହେଲା ରାସନ୍ କାର୍ଡ ପାଇଁ ଆବେଦନ କରିଛନ୍ତି । ଇ-କେଓ୍ୱାଇସି ଯାଞ୍ଚ ପରେ ସେମାନେ ନୂଆ ରାସନ୍ କାର୍ଡ ପାଇବେ । ଏନେଇ ଚିନ୍ତା କରାଯାଉଛି ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।