କନକ ବ୍ୟୁରୋ: ଅଣସର ଘରେ ଧୀରେଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଆଜି ଏକାଦଶୀ ତିଥିରେ ଶ୍ରୀଜିଉଙ୍କୁ ଖଳିଲାଗି ହେବ । ଠାକୁରଙ୍କ ଲାଗି ନିଆଳି ମାଧବ ମନ୍ଦିରରୁ ଆସିଛି ଅଣସର ଫଳଭାର । ଆସନ୍ତାକାଲି ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ଗଜପତିଙ୍କୁ ଜଣାଇବା ପାଇଁ ରାଜ ପ୍ରସାଦ ବିଜେ ନୀତି ହେବ ।
ଆଜି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଖଳିଲାଗି କରାଯିବ । ଗତକାଲି ଚକାବିଜେ ଓ ଦଶମୂଳ ଲାଗି କରାଯାଇଥିଲା । ଧୀରେଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଆଜି ଶୁଦ୍ଧ ସୁଆରଙ୍କ ଘରୁ ଆସିଥିବା ଖଳିଲାଗି ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ । ଆସନ୍ତାକାଲି ଦ୍ୱାଦଶୀ ତିଥିରେ ସକାଳ ଧୂପ ପରେ ମହାପ୍ରଭୁ ସୁସ୍ଥ ହେବା ଖବର ନେଇ ଶ୍ରୀନଅରକୁ ରାଜ ପ୍ରସାଦ ବିଜେ କରିବେ ଦଇତାପତି । ଚତୁର୍ଦ୍ଦଶୀରେ ବନକ ଲାଗି ପରେ ଅମାବାସ୍ୟାରେ ନବଯୌବନ ଦର୍ଶନ ହେବ ।
ଏକାଦଶୀରେ ମହାପ୍ରଭୁଙ୍କୁ ଲାଗି ହୋଇଛି ରଙ୍ଗିନ ପୁଷ୍ପ ଓ ତୁଳସୀ । ଘଣ୍ଟଘଣ୍ଟାର ଶବ୍ଦ ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଛି ଶ୍ରୀମନ୍ଦିର ପରିବେଶ । ମହାପ୍ରଭୁଙ୍କ ଲାଗି ନିଆଳି ମାଧବଜୀଉ ମନ୍ଦିର ପକ୍ଷରୁ ଆସିଛି ଅଣସର ଫଳଭାର । ଅଣସରରେ ମହାପ୍ରଭୁଙ୍କୁ ଫଳମୂଳ ଲାଗି ପରମ୍ପରା ରହିଛି । ନିଆଳିରୁ ଏକାଧିକ ଭାରରେ ଶ୍ରୀମନ୍ଦିରକୁ ଫଳମୂଳ ଆସିଛି ।
ସେପଟେ ତିନିରଥରେ ପଟା ବାଡ଼ିଆ ଓ ଚାରଟି ଲେଖାଁଏ ଦ୍ୱାର ବେଢ଼ା କାର୍ଯ୍ୟ ଶେଷ ହୋଇଛି । ରଥଯାତ୍ରା ପାଇଁ ସଜେଇ ହେଉଛି ବଡ଼ଦାଣ୍ଡ । ସିଂହଦ୍ୱାରଠାରୁ ଶ୍ରୀନଅର ପର୍ଯ୍ୟନ୍ତ ଝୋଟି ଚିତାରେ ସଜା ଯାଉଛି । ଚିତ୍ରକରଙ୍କ ରଙ୍ଗରେ ରଙ୍ଗୀନ ହେଉଛି ରଥତ୍ରୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/06/21/40sss-2025-06-21-19-23-47.jpg)