କନକ ବ୍ୟୁରୋ : ବାଲେଶ୍ବର, ବଳଙ୍ଗା, ପଟ୍ଟାମୁଣ୍ଡାଇ ପରେ ବରଗଡ଼ ପଦ୍ମପୁରରେ ଘଟିଛି ହୃଦୟବିଦାରକ ଘଟଣା । ପେଟ୍ରୋଲ ଢାଳି ହୋଇ ନିଆଁରେ ପୋଡ଼ି ହୋଇଯାଇଛି ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ଜଣେ ଛାତ୍ରୀ । ଘର ପାଖ ପଡ଼ିଆରୁ ଆଜି ସକାଳେ ନାବାଳିକାଙ୍କୁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଆମ୍ବୁଲାନ୍ସରେ ପଦ୍ମପୁରରୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ନାବାଳିକାଙ୍କ ଶରୀର ଶତ ପ୍ରତିଶତ ପୋଡ଼ିଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଛି । ସେ ତାଙ୍କ ମାମୁ ଘର ଗାଁ ପଡ଼ିଆରେ ପୋଡ଼ି ଯାଇଥିଲେ। ପଡ଼ିଆରେ ତାଙ୍କର ଚପଲ, ପେଟ୍ରୋଲ୍ ବୋତଲ ସହ ଦିଆସିଲି ପଡ଼ିଥିବା ଦେଖିବାକୁ ମିଳିଛି । ମୃତ୍ୟୁ ପୂର୍ବରୁ ପୀଡ଼ିତା ବଞ୍ଚାଅ ବଞ୍ଚାଇ ବୋଲି ଚିତ୍କାର କରୁଥିବା ରେକର୍ଡ ହୋଇଛି ।
‘ଘରୋଇ କଳହରୁ ଆତ୍ମହତ୍ୟା’
ଘଟଣାର ପ୍ରାଥମିକ ତଦନ୍ତ ଚାଲିଛି । କିଛି ଲୋକଙ୍କୁ ପଚରାଉଚରା ଚାଲିଛି । ତେବେ ଆତ୍ମହତ୍ୟା ପାରିବାରିକ କଳହରୁ ବୋଲି କହିଛନ୍ତି ଉତ୍ତରାଞ୍ଚଳ ଆଇଜି । ପ୍ରଶ୍ନ ଉଠୁଛି, ନାବାଳିକାର କ’ଣ ଘରୋଇ କଳହ ଥିଲା ଯେ ସେ ଆତ୍ମହତ୍ୟା କଲା? ସେପଟେ ପଦ୍ମପୁର ଘଟଣାକୁ ନେଇ ରାଜନୀତି ତେଜିଛି । ପିସିସି ସଭାପତିଙ୍କ ନିର୍ଦ୍ଦେଶରେ ରାଷ୍ଟ୍ରୀୟ ମୁଖପାତ୍ର ହମିଦ ହୁସେନ ଓ ଅନ୍ୟ କଂଗ୍ରେସ ନେତା ବୁର୍ଲା ଆସିଥିଲେ । ବିଜେଡିର ଏକ ଟିମ୍ ବୁର୍ଲା ଭିମସାର ଆସି ପୀଡ଼ିତାଙ୍କ ପରିବାରଙ୍କୁ ଭେଟିବାକୁ କାଜୁଆଲଟି ସାମ୍ନାରେ ଦୀର୍ଘ ସମୟ ଅପେକ୍ଷା କରିବା ପରେ ପୁଲିସ ଗେଟ୍ ବନ୍ଦ କରିଥିବାରୁ ବର୍ଷିଛନ୍ତି ।