କନକ ବ୍ୟୁରୋ: ସାମ୍ନାକୁ ଆସିଛି ଆଉ ଜଣେ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା । ରାଜସ୍ଥାନ ଉଦୟପୁର ଜଣେ ବିଡିଏସ୍‌ ଛାତ୍ରୀ ଅଧ୍ୟାପକଙ୍କ ଉପରେ ମାନସିକ ନିର୍ୟାତନାର ଅଭିଯୋଗ ଆଣି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସେପଟେ ଶିକ୍ଷାନୁଷ୍ଠାନମାନଙ୍କରେ ଏଭଳି ଘଟଣା ବଢ଼ୁଥିବାରୁ ଗାଇଡଲାଇନ୍‌ ଜାରି କରିଛନ୍ତି ସୁପ୍ରିମ୍‌କୋର୍ଟ 

Advertisment

ନୈନି ମ୍ୟାଡାମ୍ ଏବଂ ଭାଗବତ ସାର୍ ନିର୍ଯାତନା ଦେଉଥିଲେ । ମୋ ବ୍ୟାଚ୍‌ର ପିଲା ଉତ୍ତୀର୍ଣ୍ଣ ହେଉଥିଲେ, ଅଥଚ ମୋତେ ଜାଣିଶୁଣି ଫେଲ୍ କରାଯାଉଥିଲା । କିଛି ଟଙ୍କା ପାଇଁ କ୍ୟାରିଅର ନଷ୍ଟ କରିଦେଉଛନ୍ତି । ଯେଉଁମାନେ କେବେ କଲେଜ ଆସି ନାହାନ୍ତି, ସେମାନଙ୍କଠୁ ଟଙ୍କା ନେଇ ପାସ୍ କରାଯାଉଛି ।  ମନଇଚ୍ଛା ପରୀକ୍ଷା କରାଯିବା ସହ ପାସ୍‌, ଫେଲ୍ କରାଯାଉଛି । ଏହି ମାନସିକ ନିର୍ୟାତନା ଆଉ ସହିପାରୁନି । ଅତିଷ୍ଠ ହେବା ପରେ ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଛି । କ୍ୟାରିୟର ବରବାଦ କରୁଥିବା ଅଧ୍ୟାପକଙ୍କୁ କଠୋର ଶାସ୍ତି ଦିଆଯାଉ । ଛାତ୍ରଛାତ୍ରୀଙ୍କ ସହ ଅନ୍ୟାୟ କରାନଯାଉ । ସେମାନଙ୍କ ଭବିଷ୍ୟତ ନଷ୍ଟ କରାନଯାଉ ।

ସୁଇସାଇଡ୍‌ ନୋଟ୍‌ରେ ଅଧ୍ୟାପକଙ୍କ ନାଁରେ ସଂଗିନ ଅଭିଯୋଗ ଆଣି ହଷ୍ଟେଲ ରୁମ୍‌ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ରାଜସ୍ଥାନ ଉଦୟପୁରର ଏକ ଘରୋଇ ମେଡିକାଲ କଲେଜରେ ପାଠ ପଢ଼ୁଥିବା ଛାତ୍ରୀ ଶ୍ବେତା ସିଂ । ବିଡିଏସ୍‌ ଛାତ୍ରୀ ଥିଲେ ଓ ଡାକ୍ତର ହୋଇ ସେବା କରିବାକୁ ସ୍ବପ୍ନ ମଧ୍ୟ ଦେଖିଥିଲେ। କିନ୍ତୁ ଅଧ୍ୟାପକଙ୍କ ନିର୍ୟାତନା ସହିନପାରି ଅକାଳରେ ଜୀବନ ହାରିଛନ୍ତି । ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତଦନ୍ତ କରୁଛି ପୁଲିସ । ସେପଟେ ନ୍ୟାୟ ଦାବିରେ କଲେଜ ସାମ୍ନାରେ ମୃତ ଛାତ୍ରୀଙ୍କ ପରିବାର ବିରୋଧ ପ୍ରଦର୍ଶନ କରୁଛନ୍ତି । ନିକଟରେ ଗ୍ରେଟର ନୋଏଡାର ଜଣେ ବିଡିଏସ୍‌ ଛାତ୍ରୀ ଅଧ୍ୟାପକଙ୍କ ନାଁରେ ସମାନ ଅଭିଯୋଗ ଆଣି ଆତ୍ମହତ୍ୟା କରିଥିଲେ । ୭ ଦିନ ନପୂରୁଣୁ ରାଜସ୍ଥାନ ଉଦୟପୁରରେ ମଧ୍ୟ ଅକାଳରେ ଆଉ ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ଶିକ୍ଷାନୁଷ୍ଠାନ ଉପରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି । 

ବିଗତ କିଛିଦିନରେ ଶିକ୍ଷାନୁଷ୍ଠାନରେ ବିଦ୍ୟାର୍ଥୀଙ୍କ ଆତ୍ମହତ୍ୟା ଓ ଆତ୍ମହତ୍ୟା ଉଦ୍ୟମ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଲଗାତାର ଭାବେ ଏଭଳି ଖବରକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଶିକ୍ଷାନୁଷ୍ଠାନରେ ଆତ୍ମହତ୍ୟାକୁ ରୋକାଯାଇନପାରିବା ନେଇ ଅସନ୍ତୋଷ ପ୍ରକାଶ ସହ ଏହା ଏକ ବ୍ୟବସ୍ଥାଗତ ବିଫଳତା ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ। ସୁପ୍ରିମ୍‌କୋର୍ଟର ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ୨ଜଣିଆ ଖଣ୍ଡପୀଠ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଖଣ୍ଡପୀଠ କହିଛନ୍ତି, ବିଦ୍ୟାର୍ଥୀଙ୍କ ଆତ୍ମହତ୍ୟା ପଛରେ ମାନସିକ ଅବସାଦ, ପାଠପଢ଼ା ବୋଝ, ସାମାଜିକ ବାସନ୍ଦ ଆଦି ଦାୟୀ । କେମିତି ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟାକୁ ରୋକାଯାଇପାରିବ ସେନେଇ ୧୫ ସୂତ୍ରୀ ମାର୍ଗଦର୍ଶିକା ଜାରି କରିଛନ୍ତି ସୁପ୍ରିମ୍‌କୋର୍ଟ । 

ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା, ସୁପ୍ରିମ୍‌କୋର୍ଟଙ୍କ ଉଦ୍‌ବେଗ     
-ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଅନୁପାତରେ ଶିକ୍ଷକ ନିଯୁକ୍ତି 
-ଛୋଟଛୋଟ ଗୋଷ୍ଠୀର ବିଦ୍ୟାର୍ଥୀଙ୍କ ପାଇଁ ଉପଦେଷ୍ଟା ନିଯୁକ୍ତି
-ପ୍ରତି ଶିକ୍ଷାନୁଷ୍ଠାନରେ ପ୍ରତିଷ୍ଠା ହେବ ଆତ୍ମହତ୍ୟା ପ୍ରତିରୋଧ ହେଲ୍ପଲାଇନ୍‌
-ହଷ୍ଟେଲ୍‌, ଶ୍ରେଣୀଗୃହ, କମନ ରୁମ୍‌ ଓ ୱେବ୍‌ସାଇଟ୍‌ରେ ହେବ ଉଲ୍ଲେଖ
-ଆତ୍ମହତ୍ୟାପ୍ରବଣ ପିଲାଙ୍କ ଉପରେ ରହିବ ସ୍ବତନ୍ତ୍ର ନଜର
-ଶିକ୍ଷକ ଓ ଅଣଶିକ୍ଷକ ପ୍ରତି ୨ ବର୍ଷରେ ଆତ୍ମହତ୍ୟା ପ୍ରତିରୋଧ ପ୍ରଶିକ୍ଷଣ ନେବେ
-ମାନସିକ ରୋଗ ଚିକିତ୍ସକ ଦେବେ ତାଲିମ
-ଅଭିଭାବକଙ୍କୁ ବି ବୁଝାଇବା ବ୍ୟବସ୍ଥା
-ରାଗିଂମୁକ୍ତ ଶିକ୍ଷାନୁଷ୍ଠାନକୁ ଗୁରୁତ୍ବ
-ପାଠପଢ଼ା ବୋଝ କମାଇବାକୁ ପ୍ରତି ୩ ମାସରେ ପରୀକ୍ଷା ପାଟର୍ଣ୍ଣ ସମୀକ୍ଷା
-ଯୌନ ଉତ୍ପୀଡ଼ନ, ରାଗିଂ, ମାନସିକ ନିର୍ୟାତନା ଭଳି ଅଭିଯୋଗର ତ୍ବରିତ ସମାଧାନ 
-ଶିକ୍ଷାନୁଷ୍ଠାନରେ ଉଚିତ ଶୈକ୍ଷିକ ବାତାବରଣ ସୃଷ୍ଟି ଉପରେ ଗୁରୁତ୍ବ  

ଏନ୍‌ସିଆର୍‌ବିର ତଥ୍ୟ ଅନୁଯାୟୀ, ୨୦୨୨ରେ ଦେଶରେ ୧୩ହଜାର ୪୪ଜଣ ଶିକ୍ଷାର୍ଥୀ ଆତ୍ମହତ୍ୟା କରିଥିଲେ ଏବଂ ପ୍ରତ୍ୟେକ ବର୍ଷର ସଂଖ୍ୟା ଚିନ୍ତାଜନକ ।