କନକ ବ୍ୟୁରୋ: ଉଭୟ ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଅପରାଧ ଥମିବାର ନା ନେଉନାହିଁ । କେତେବେଳେ ପାରିବାରିକ କଳହ ରୁ ହେଉ ବା କେତେ ବେଳେ ପୂର୍ବ ଶତ୍ରୁତା କିନ୍ତୁ ମୁଣ୍ଡ ଗଡିବା ଥୟ । ଆଉ ଆଜି ପ୍ରେମ ବ୍ୟାପାରରୁ ଜଣେ ନାବାଳିକାର ମୁଣ୍ଡ ଗଡିଛି । ଅପରାଧିକ ମାମଲା ବଢିବା ପୋଲିସ ପାଇଁ ଏବେ ମୁଣ୍ଡବ୍ୟଥାର କାରଣ ସାଜିଛି ।

Advertisment

ଗଞ୍ଜାମରେ ଅପରାଧ ଅଟକିବାର ନାଁ ନେଉନି । ପୁଣି ଏକ ହତ୍ୟାକାଣ୍ଡ । ପ୍ରେମ ବ୍ୟାପାରକୁ ନେଇ ଗୋପାଳପୁର ଥାନା ଅନ୍ତର୍ଗତ କରାପଲ୍ଲୀରେ ଘରେ ପଶି ନାବାଳିକାକୁ ଜଘନ୍ୟ ହତ୍ୟା । ଘରେ କେହି ନଥିବା ସୁଯୋଗ ପାଇ ଅଞ୍ଜଳି ନାମକ ଜଣେ ନାବାଳିକା ଆଇଟିଆଇ ଛାତ୍ରୀଙ୍କୁ ଶାବଳ ଓ ବ୍ଲେଡରେ ଆକ୍ରମଣ କରି ହତ୍ୟା କରିଛି ଅଭିଯୁକ୍ତ । ଏକ ତରଫା ପ୍ରେମକୁ ନେଇ ଅଭିଯୁକ୍ତ ମୁନା ଖାଁ ହତ୍ୟା କରିଥିବା ନାବାଳିକାଙ୍କ ପରିବାର ଥାନାରେ ଅଭିଯୋଗ କରିଛନ୍ତି ।

ବ୍ରହ୍ମପୁର ଏସପି ଓ ଗୋପାଳପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମାମଲାରେ ମୁଖ୍ୟ ଅଭିଯୁକ୍ତ ମୁନା ଖାଁ ସମେତ ଅନ୍ୟ ଜଣେ ସହଯୋଗୀକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଅଭିଯୁକ୍ତର ଭଉଣୀ ଓ ମୃତ ଅଞ୍ଜଳି ଆଇଟିଆଇରେ ଏକସଙ୍ଗେ ପାଠ ପଢ଼ୁଥିଲେ । ଏହି ସମୟରେ ଅଞ୍ଜଳି ଓ ମୁନ୍ନା ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଦୀର୍ଘ ୬ବର୍ଷ ହେଲା ଅଭିଯୁକ୍ତ ସହ ପ୍ରେମ ସମ୍ପର୍କ ରହିଥିଲା । ନାବାଳିକାଙ୍କ ପରିବାର ଜାଣିବା ପରେ ପାଠ ପଢା ବନ୍ଦ କରିଦେବା ସହ କିଛି ଦିନ ତଳେ ଗାଁ ପଞ୍ଚାୟତରେ ଉଭୟଙ୍କ ସମ୍ପର୍କ ବିଚ୍ଛେଦ ଲାଗି ନିଷ୍ପତ୍ତି ହୋଇଥିଲା । ଗୁରୁବାର ସକାଳେ ନାବାଳିକାଙ୍କ ବାପା ନିଜ ଜଳଖିଆ ହୋଟେଲକୁ ପରିବାରର ଅନ୍ୟମାନଙ୍କ ସହ ଯାଇଥିଲେ । ଏହି ସମୟରେ ଘର ପଛ ଦେଇ ଘରେ ପଶିଥିଲା ଅଭିଯୁକ୍ତ । ପ୍ରଥମେ ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ଅଞ୍ଜଳିକୁ ଅଭିଯୁକ୍ତ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଥିବା ପୋଲିସ୍ କହିଛି । 

ଗଞ୍ଜାମରେ ଦିନକୁ ଦିନ ଅପରାଧିକ ମାମଲା ବଢିଚାଲିଛି । ସପ୍ତାହେ ଭିତରେ ଜିଲ୍ଲାରେ ୫ଟି ହତ୍ୟାକାଣ୍ଡ ଆଇନଶୃଙ୍ଖଳା ପରିସ୍ଥିତି ନେଇ ପ୍ରଶ୍ନବାଚୀ ଉଠାଇଛି ।