କନକ ବ୍ୟୁରୋ : ଆସନ୍ତାକାଲି ସୃଷ୍ଟି ହେବ ଆଉ ଏକ ଲଘୁଚାପ , ୨୬ତାରିଖରେ ନେଇପାରେ ଅବପାତର ରୂପ । ୨୭ବେଳକୁ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳ ଅତିକ୍ରମ ସମ୍ଭାବନା । ଆସନ୍ତାକାଲି ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି । ପରେ ଏହା ପଶ୍ଚିମ ଦିଗକୁ ଗତି କରିବା ସହ ସେପ୍ଟେମ୍ବର ୨୬ ତାରିଖ ରେ ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ସେପ୍ଟେମ୍ବର ୨୭ ତାରିଖ ପାଖାପାଖି ଦକ୍ଷିଣ ଓଡ଼ିଶା ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଉଭୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ  ଅତିପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । 

Advertisment

ବିଶେଷ କରି ଦକ୍ଷିଣ ଓ ଉପକୂଳ  ଓଡ଼ିଶାରେ ପ୍ରବଳ ବର୍ଷିବ । ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ରେ ସାରା ଓଡ଼ିଶାରେ ବିଜୁଳି ଘଡଘଡି ବର୍ଷାକୁ ନେଇ ହଳଦିଆ ଚେତାବନୀ ଦେଇଛି ବିଭାଗ । ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ସହ ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଗଜପତି  ଜିଲ୍ଲାରେ ପ୍ରବଳ ବର୍ଷା ନେଇ ହଳଦିଆ ଚେତାବନୀ ଜାରି କରାଯାଇଛି । ଲଘୁଚାପ ପ୍ରଭାବରେ ଆହୁରି ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ସାରା ରାଜ୍ୟରେ ବିଜୁଳି ଘଡଘଡି ପାଇଁ ସତର୍କତା ଜାରି କରାଯାଇଛି । ରାଜ୍ୟ ଉପରେ ଦୁଇ ଦୁଇଟି ଲଘୁଚାପ ପ୍ରଭାବରେ ଆହୁରି ୪ ଦିନ ଯାଏ ପ୍ରବଳ ବର୍ଷିବ ବର୍ଷା ।