କନକ ବ୍ୟୁରୋ: ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ଅବପାତ ଯାଇନି, ପୁଣି ଡରାଇଲାଣି ଆଉ ଏକ ଲଘୁଚାପ ଆଶଙ୍କା । ଲଘୁଚାପର ପ୍ରଭାବ କେତେ ରହିବ? କେଉଁ ଅଂଚଳ ଉପରେ ପ୍ରଭାବ ପଡିବ ତାହା ସ୍ପଷ୍ଟ ହୋଇନଥିଲେ ବି ପୁଜା ସମୟରେ ଆସୁଥିବାରୁ ଭୟ ବଢ଼ୁଛି।
ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ହୋଇଛି । ଏହାରି ଭିତରେ ଅକ୍ଟୋବର ଆରମ୍ଭରୁ ଆଉ ଏକ ଲଘୁଚାପ ଆସୁଥିବା ସମ୍ଭାବନା ଡରାଇବା ଆରମ୍ଭ କରିଛି। ପାଣିପାଗ ବିଜ୍ଞାନୀଙ୍କ ଆକଳନ ଅନୁସାରେ ୩୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନସାଗର ଅଞ୍ଚଳରେ ଏକ ନୂତନ ଘୂର୍ଣ୍ଣିବଳୟ ପ୍ରବେଶ କରିବ । ପ୍ରଭାବରେ ଉତ୍ତରପାଶ୍ବବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ୧ଅକ୍ଟୋବର ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଏହା କେଉଁ ଆକାର ନେବ ତାହା ସ୍ପଷ୍ଟ ହୋଇନାହିଁ ।
ଉପରମୁଣ୍ଡରେ ବର୍ଷା କମିବା ପରେ ପର୍ଯ୍ୟାୟକ୍ରମେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ କମିଛି। ତେଣୁ ଆଜି ଜଳଭଣ୍ଡାର ଆଉ କିଛି ଗେଟକୁ ବନ୍ଦ କରାଯାଇଛି। ମୁଣ୍ଡଳିରେ ଜଳସ୍ତର ସ୍ଥିର ରହିଛି । କିନ୍ତୁ ମହାନଦୀର ଶାଖା ନଦୀ କାଠଯୋଡି, ବିରୂପା, କୁଶଭଦ୍ରା, ଦୟା, ଭାର୍ଗବୀ, ଲୁଣା, ଦେବୀ, ପାଇକା ଓ ଚିତ୍ରୋତ୍ପଳାର ଜଳସ୍ତର ବଢ଼ୁଛି । ଯାହାଫଳରେ ଏହି ସବୁ ନଦୀର ତଳିଆ ଅଂଚଳରେ ବନ୍ୟା ପାଣି ପଶିବା ଆଶଙ୍କା ରହିଛି। ତେବେ ବଡ ବିପଦ ନାହିଁ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ।
ଗତକାଲି ୪୯ବ୍ଲକ ମୁଖ୍ୟାଳୟରେ ୫୦ମିଲିମିଟର ଓ କାଲିମେଳା ବ୍ଲକରେ ୧୦୦ମିମି ବର୍ଷା ହୋଇଛି। କିନ୍ତୁ ଆଗକୁ ପୁଣି ଲଘୁଚାପ ସୃଷ୍ଟି ହେଲେ, ଏହା ଦଶହରାକୁ ଫିକା କରିବା ଆଶଙ୍କା କରାଯାଉଛି।