କନକବ୍ୟୁରୋ: ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା । ଏହା ପ୍ରଭାବରେ ୨୨ ତାରିଖରୁ ବଢିବ ବର୍ଷାର ପ୍ରଭାବ । ଆସନ୍ତାକାଲି ଉତ୍ତର ଆଣ୍ଡାମାନ ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ୨୩ ତାରିଖ ସୁଦ୍ଧା ଉତ୍ତର ପଶ୍ଚିମ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ଫଳରେ ୨୨,୨୩ ଓ ୨୪ ରେ ସାରା ରାଜ୍ୟରେ ବର୍ଷା ହେବ। 

Advertisment

ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଲଘୁଚାପ ସୃଷ୍ଟି ପରେ ଏହାର ଗତିପଥ ସ୍ପଷ୍ଟ ହେବ ବୋଲି ପୂର୍ବାନୁମାନ କରିଛି ବିଭାଗ । ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଓ ଘଡଘଡି ସହ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷାର ସତର୍କତାକୁ ନେଇ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ,କଳାହାଣ୍ଡି , ରାୟଗଡା, ଗଜପତି, କଳାହାଣ୍ଡି, ଗଂଜାମ ଓ କନ୍ଧମାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । 

ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏପର୍ୟ୍ୟନ୍ତ ୧୦୦୩ .୧  ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏବେବି ୮ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି। ବର୍ତ୍ତମାନ ସୁଦ୍ଧା ଗୋଟିଏ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୧୯ ଜିଲ୍ଲାରେ ସ୍ୱାଭାବିକ ବର୍ଷା ଏବଂ ୧୦ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି ।