କନକ ବ୍ୟୁରୋ : ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୧ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା । ୩୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନସାଗର ଅଞ୍ଚଳରେ ଏକ ନୂତନ ଘୂର୍ଣ୍ଣିବଳୟ ପ୍ରବେଶ କରିବ । ପ୍ରଭାବରେ ଉତ୍ତର ପାର୍ଶ୍ଵବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ, ଅକ୍ଟୋବର ୧ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ଦଶହରା ବେଳକୁ ମଧ୍ୟ ବର୍ଷା ଲାଗି ରହିବ ବୋଲି ଆଶଙ୍କା କରାଯାଉଛି ।
ଉତ୍ତର ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ୧ରୁ ରାଜ୍ୟରେ ପ୍ରବଳ ବର୍ଷା ଆକଳନ କରିଛି ପାଣିପାଗ ବିଭାଗ । ଏପଟେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ସକ୍ରିୟ ରହିଛି । ଆସନ୍ତା ୨୪ ଘଣ୍ଟାରେ ଦୁର୍ବଳ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେବ । ଲଘୁଚାପ ପ୍ରଭାବରେ ଆହୁରି ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା ଆକଳନ କରିଛି । ଆଗାମୀ ୨୪ ଘଣ୍ଟାରେ ସାରା ଓଡ଼ିଶାରେ ବିଜୁଳି ଘଡଘଡ଼ି ସହ ବର୍ଷା ହେବାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ମୟୁରଭଞ୍ଜ କେନ୍ଦୁଝର, ବରଗଡ଼, ବଲାଙ୍ଗୀର, ନୂଆପଡା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ଆସନ୍ତାକାଲି ରାଜ୍ୟର କିଛି କିଛି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ ଉପକୂଳ ଓଡ଼ିଶାର ଗଂଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହ ଲଘୁଚାପ ପ୍ରଭାବରେ ପୁଣି ୧ ରୁ ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛି ବିଭାଗ । ଅନ୍ୟପଟେ ଗତ ୨୪ ଘଂଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିବା ବେଳେ ୨୪ଟି ଷ୍ଟେସନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ବଲାଙ୍ଗୀର ସାଲେଭଟାରେ ସର୍ବାଧିକ ୧୨୩.୨ ବର୍ଷା ରେକର୍ଡ ହୋଇଛି ।