Photograph: (Kanak News)
କନକ ବ୍ୟୁରୋ : ଆସନ୍ତା ୨୪ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ୨୨ ଜୁଲାଇ ବେଳକୁ ଉତ୍ତର ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ମିଆଁମାର ତଟବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସମ୍ଭାବନା । ତେବେ ଏହି ସିଷ୍ଟମ୍ଟି ଅଧିକ ଘନୀଭୂତ ହେଇ ସ୍ପଷ୍ଟ ଚିହ୍ନିତ ଳଘୁଚାପ ଓ ପରେ ଅବପାତରେ ପରିଣତ ହେଇପାରେ । ଆସୁଥିବା ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ ବଡ଼ ବର୍ଷାର ସମ୍ଭାବନା ରହିଛି ।
୧୯ ଜୁଲାଇ ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ବାଲେଶ୍ୱରରେ ବଜ୍ରପାତ ସହ ବର୍ଷାକୁ ନେଇ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଓଡ଼ିଶାର କିଛି ଅଞ୍ଚଳକୁ ଛାଡ଼ିଦେଲେ ଅନ୍ୟ ସ୍ଥାନରେ ବଜ୍ରପାତ ବର୍ଷା ନେଇ ୨୪ ଜୁଲାଇ ଯାଏଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।
ସକ୍ରିୟ ମୌସୁମୀ ବାୟୁ, ଘୂର୍ଣ୍ଣିବଳୟ ଓ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଲଗାଣ ବର୍ଷା ପ୍ରଭାବରେ ରାଜ୍ୟରେ ଜୁନ୍ ୧ରୁ ଜୁଲାଇ ୧୮ ପର୍ଯ୍ୟନ୍ତ ୨୧%ରୁ ଅଧିକ ବର୍ଷା ରେକର୍ଡ ହୋଇଛି । ସାରା ରାଜ୍ୟରେ ଭଲ ବର୍ଷା ହୋଇଥିବାରୁ ଏହା ଚାଷକୁ ସୁହାଇଛି । କିନ୍ତୁ ଚିନ୍ତାଜନକ ସ୍ଥିତିରେ ରହିଛି ରାଜ୍ୟର ୩ ଜିଲ୍ଲା ପୁରୀ, ଗଜପତି ଓ ନୂଆପଡ଼ା । ଏହି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ବର୍ତ୍ତମାନ ସୁଦ୍ଧା ପୁରୀରେ ସ୍ୱାଭାବିକଠାରୁ ୨୬% କମ୍, ସେହିଭଳି ଗଜପତିରେ ୨୬% କମ୍ ଓ ନୂଆପଡ଼ାରେ ୩୨% କମ୍ ବର୍ଷା ହୋଇଛି ।
Follow Us