କନକ ବ୍ୟୁରୋ: କୋଟାରେ ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା । ନିଟ୍ ପରୀକ୍ଷାର ଦିନକ ପୂର୍ବରୁ ଜୀବନ ହାରିଲେ ଛାତ୍ରୀ । ଛାତ୍ରୀ ଜଣକ ମଧ୍ୟପ୍ରଦେଶ ଶୋଏପୁର ଅଞ୍ଚଳର। କୋଟାରେ ନିଜ ବାପା ମାଙ୍କ ରହି ନିଟ୍ ପାଇଁ ପ୍ରସ୍ତୁତ ହେଉଥିଲେ । ଗତକାଲି ରାତି ୯ଟାରେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାସ୍ଥଳରୁ କୌଣସି ସୁଇସାଇଡ ନୋଟ ମିଳି ନାହିଁ । ଜାନୁୟାରୀ ମାସରୁ ଏବେ ସୁଦ୍ଧା କୋଟାରେ ୧୪ ଜଣ ଛାତ୍ର ଆମ୍ତହତ୍ୟା କରିଛନ୍ତି । ଗତବର୍ଷ କୋଟାରେ ୧୭ ଜଣ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା।
ନିଜର କୋଚିଂ ସେଣ୍ଟରଗୁଡ଼ିକ ପାଇଁ ବିଖ୍ୟାତ ରାଜସ୍ଥାନର କୋଟା ଛାତ୍ର ଆତ୍ମହତ୍ୟା ପାଇଁ କୁଖ୍ୟାତି ଅର୍ଜନ କରିଛି । ପ୍ରତିବର୍ଷ ଯାଉଛି ଏକାଧିକ ଛାତ୍ରଛାତ୍ରୀଙ୍କ ଜୀବନ । ତେବେ କୋଟାର କୋଚିଂ ହଷ୍ଟେଲଗୁଡ଼ିକ କିପରି ଏବଂ ଏଠାରେ ଛାତ୍ରମାନେ ଏତେ ସଂଖ୍ୟାରେ କାହିଁକି ଆତ୍ମହତ୍ୟା କରନ୍ତି?
କୋଟାର କୋଚିଂ ହଷ୍ଟେଲଗୁଡ଼ିକ ୫-ତାରକା ହୋଟେଲଠାରୁ କମ୍ ନୁହେଁ। ଏହାର ବିରାଟ ଅଭ୍ୟର୍ଥନା କକ୍ଷ, ଛାତରୁ ଝୁଲୁଥିବା ଆଲୋକମାଳା ଓ ବିଳାସପୂର୍ଣ୍ଣ ଆସବାବପତ୍ର ଦେଖିଲେ ଯେ କେହି ଆକୃଷ୍ଟ ହୋଇପଡ଼ିବ। ସବୁଆଡ଼େ ସିସିଟିଭି କ୍ୟାମେରା ଲାଗିଛି, ବାୟୋମେଟ୍ରିକ୍ ବ୍ୟବସ୍ଥା ଅଛି ଏବଂ କୋଠାର ସବୁ କୋଣ-ଅନୁକୋଣରେ ନେଟ୍ ବ୍ୟବସ୍ଥା କରାଯାଇଛି ଡାକ୍ତର ଓ ଇଂଜିନିୟର ହେବାକୁ ଚାହୁଥିବା ଛାତ୍ରମାନଙ୍କର ସ୍ବପ୍ନର ସହର ହେଉଛି କୋଟା । କୋଟାର କୋଚିଂ ଅନୁଷ୍ଠାନଗୁଡ଼ିକ ଏହି ସ୍ବପ୍ନ ପୂରଣର ପ୍ରତିଶ୍ରୁତି ଦେଇଥାନ୍ତି । ଆଶାୟୀ ଛାତ୍ରମାନଙ୍କୁ ନେଇ କୋଟାର କୋଚିଂ ଅନୁଷ୍ଠାନଗୁଡ଼ିକ ବୃଦ୍ଧି ପାଇଚାଲିଛନ୍ତି ।
୮୦ ଦଶକରୁ ଛାତ୍ରଙ୍କୁ ଏଠି ଜୀବନ୍ତ ମେସିନ ବନେଇବାର ପ୍ରକ୍ରିୟା ଆରମ୍ଭ ହୋଇଛି । ଏଠାରେ ଗୋଟିଏ କୋଚିଂ ସେଣ୍ଟରର ଛାତ୍ର ଆଇଆଇଟି ପାଇବା ପରେ ତାହା ରାତାରାତି ବିଖ୍ୟାତ ହୋଇଗଲା । ତା’ପରେ ଛତୁ ଫୁଟିଲା ପରି କୋଟାରେ ଅନ୍ୟ କୋଚିଂ ସେଣ୍ଟରଗୁଡ଼ିକ ଗଢ଼ିଉଠିଲେ । ଛାତ୍ରସଂଖ୍ୟା ବଢ଼ିଲା ଏବଂ ଛାତ୍ରଙ୍କ ପାଇଁ ହଷ୍ଟେଲ ସଂଖ୍ୟା ମଧ୍ୟ ବଢ଼ିଲା । ଅନେକ କ୍ୟାଣ୍ଟିନ ବି ଖୋଲିଲା । ଚା-ଜଳଖିଆ ଦୋକାନ ଓ ଅଟୋରିକ୍ସା ଆଦି ଛାତ୍ରଙ୍କ ସେବା ପାଇଁ ଗଢ଼ିଉଠିଲେ । ସମସ୍ତଙ୍କ ଟାର୍ଗେଟରେ ରହିଲେ ୧୫-୧୬ ବର୍ଷର ଛାତ୍ରଛାତ୍ରୀ
ଚଳିତବର୍ଷ ପ୍ରାୟ ୩ ଲକ୍ଷ ଛାତ୍ରଛାତ୍ରୀ ଏଣ୍ଟ୍ରାନ୍ସ ପରୀକ୍ଷା ପ୍ରସ୍ତୁତି ପାଇଁ କୋଟା ଆସିଛନ୍ତି। ରବିବାର ବି ଏଠି ପିଲାଙ୍କ ପାଇଁ ଛୁଟି ନାହିଁ। କେଉଁଠି ପିଲା ପରୀକ୍ଷା ଦେବାକୁ କୋଚିଂ ସେଣ୍ଟର ଯାଇଥାଏ ଆଉ କେଉଁଠି ରାତି ଅନିଦ୍ରା ମେଣ୍ଟାଇବା ପାଇଁ ବିଶ୍ରାମ ନେଉଥାଏ। ପିଲାମାନେ ନିଜର ଲୁଗାପଟା ବି କାଚନ୍ତିନି। ତାହା ହଷ୍ଟେଲ କର୍ମଚାରୀ କରନ୍ତି। ଲୁଗାପଟା କାଚିଲେ ପାଠ ପଢ଼ିବେ କେତେବେଳେ? କୋଚିଂ କ୍ଲାସ୍ ସକାଳ ସାଢ଼େ ୬ଟାରୁ ଆରମ୍ଭ ହୁଏ ଏବଂ ପିଲାମାନେ ରାତି ୨ଟା ଯାଏ ପାଠ ପଢ଼ନ୍ତି। ସେମାନଙ୍କ ରୁଟିନ ଏତେ ଟାଇଟ୍ ଯେ ନିଃଶ୍ବାସ ନେବାକୁ ସମୟ ନ ଥାଏ । ତେବେ କଠିନ ପରିଶ୍ରମ ସତ୍ତ୍ବେ ସବୁ ପିଲା ଆଇଆଇଟି ବା ମେଡିକାଲ ପାଆନ୍ତିନି। କେତେକ ପିଲା ଭଗ୍ନ ସ୍ବପ୍ନ ନେଇ ଘରକୁ ଫେରନ୍ତି ଓ ଆଉ କେତେକ ଫେରନ୍ତିନି ।
ଜଣେ ଛାତ୍ରଙ୍କ କହିବା ଅନୁସାରେ ସେ ଲେଖକ ହେବାକୁ ଚାହୁଥିଲେ। ସେ କିଛି ଗପ ଲେଖିଥିଲେ ଯାହାକୁ ତାଙ୍କ ବାପା ଚିରିଦେଲେ । ତାଙ୍କ ମାଆ ତାଙ୍କ ସହ କଥାବାର୍ତ୍ତା କରିବା ବନ୍ଦ କରିଦେଲେ ସେ କୋଟାରେ ରହି ଡାକ୍ତର ହେବା ପାଇଁ ପ୍ରସ୍ତୁତ ହେଉଛନ୍ତି । ପିଲାମାନଙ୍କୁ ନିଜର ସ୍ବପ୍ନକୁ ଚୂରମାର କରି ବାପାମାଆଙ୍କ ସ୍ବପ୍ନ ପୂରଣ କରିବାକୁ ବାଧ୍ୟ କରାଯାଉଛି । ଶେଷରେ ମାନସିକ ଚାପ, ହତାଶା ଓ ଅବସାଦରେ ଅନେକ ଛାତ୍ର ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି ।