କନକ ବ୍ୟୁରୋ: ଅଦିନିଆ ବର୍ଷା ପରେ ଉଜୁଡା କ୍ଷେତକୁ ଦେଖି ସହିପାରିଲେନି । ବିଲରେ ପଡ଼ିଥିବା ପାଚିଲା ଧାନର ଅବସ୍ଥା ଦେଖି ଧୈର୍ଯ୍ୟ ରହିଲା ନାହିଁ । କଣ କରିବେ, ଚାଷ ପାଇଁ କରିଥିବା କରଜ କେମିତି ସୁଝିବେ, ସେ ଚିନ୍ତାରୁ ମୁକୁଳି ପାରିଲେ ନାହିଁ । ଶେଷରେ ନିଜ ଜୀବନ ହାରିଦେଲେ । ଘରର ମୁଖିଆଙ୍କ ମୃତ୍ୟୁ ପରେ ହତବାକ୍ ହୋଇଯାଇଛନ୍ତି ପରିବାର ଲୋକ । ଘରେ କାନ୍ଦବୋବାଳି ପଡ଼ିଛି। ଆଳି ବ୍ଲକ କୋଳିଡିହ ଗାଁର ୫୫ ବର୍ଷୀୟ ଚାଷୀ କୈଳାସ ଚନ୍ଦ୍ର ଧଳ ଆତ୍ମହତ୍ୟା ଅଭିଯୋଗ ହୋଇଛି । 

Advertisment

ପ୍ରାୟ ୮ ଏକର ଜମିରେ ଚାଷ କରିଥିଲେ କୈଳାସ । ଧାର କରଜ କରି ନିଜର ୫ ଏକର ଜମି ସହିତ ୩ ଏକର ଭାଗଚାଷ କରିଥିଲେ l ଅଦିନିଆ ବର୍ଷା ପରେ ଜମିରେ ପାଣି ଜମି ରହିବାରୁ ଧାନ ସବୁ ଗଜା ହୋଇଯାଇଛି । ଆଉ ଅମଳ ହେବାଭଳି ସ୍ଥିତିରେ ନାହିଁ। ତେଣୁ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ କୈଳାସ । ଶୁକ୍ରବାର ରାତିରେ ବିଷ ପିଇ ଦେଇଥିଲେ । ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ମୃତ ଚାଷୀଙ୍କ ପରିବାର ପକ୍ଷରୁ ଆଳି ଥାନାରେ ଏତଲା ଦିଆଯାଇଛି । ଅଦିନିଆ ବର୍ଷା ଚଳିତ ବର୍ଷ ଚାଷୀଙ୍କ ପାଇଁ କାଳ ହୋଇଛି। ଅକାଳରେ ଗୋଟିଏ ପରେ ଗୋଟିଏ ଜୀବନଦୀପ ଲିଭି ଯାଉଛି।