କନକ ବ୍ୟୁରୋ : ପୁଣି ଜଣେ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ । ଅଦିନିଆ ବର୍ଷାରେ ଫସଲ ଉଜୁଡ଼ିଯିବା ପରେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ କୋଳିଡିହ ଗାଁର ଚାଷୀ କୈଳାସ ଚନ୍ଦ୍ର ଧଳ ଧାର କରଜ କରି ପ୍ରାୟ ୮ ଏକର ଜମିରେ ଚାଷ କରିଥିଲେ । ନିଜର ୫ ଏକର ଜମି ସହିତ ଭାଗରେ ୩ ଏକର ଜମିରେ ଚାଷ କରିଥିଲେ । ଅଦିନିଆ ବର୍ଷା ଯୋଗୁଁ ଜମିରେ ପାଣି ଜମି ରହିବାରୁ ଧାନ ଗଜା ହୋଇଗଲା । ଉଜୁଡା କ୍ଷେତକୁ ଦେଖି ଚିନ୍ତାରେ ପଡ଼ିଥିଲେ ଚାଷୀ । ଧାର କରଜ କରି ଚାଷ କରିଥିବା ବେଳେ ଏହାକୁ କିପରି ସୁଝିବେ ତାକୁ ନେଇ ଚିନ୍ତାରେ ପଡ଼ିଥିଲେ । ତେଣୁ ଗତକାଲି ରାତିରେ ବିଷ ପିଇ ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।  ପରିବାର ଲୋକ ଆଳି ମେଡିକାଲ ନେଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତଚାଷୀଙ୍କ ପୁତୁରା କୁମାର ସେନ ଧଳ ଆଳି ଥାନାରେ ଏନେଇ ଅଭିଯୋଗ କରିଛନ୍ତି ।