ଭିଜିଲାନ୍ସ ଜାଲରେ  ଆଉ ଜଣେ କୋଟିପତି ଯନ୍ତ୍ରୀ ; ଏକାଧିକ ସ୍ଥାନରେ ଦାମୀ ପ୍ଲଟ୍ ଓ ଫ୍ଲାଟ୍ ଠାବ

ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ କୋଟିପତି ଯନ୍ତ୍ରୀ  ।  ଅବସରର ଦୁଇଦିନ ପୂର୍ବରୁ ଗଞ୍ଜାମ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଶୀଲ ପଣ୍ଡାଙ୍କୁ ମାଡ଼ିବସିଲା ଭିଜିଲାନ୍ସ ଟିମ୍  । ବ୍ରହ୍ମପୁର, ଖୋର୍ଦ୍ଧା,ଭୁବନେଶ୍ବରରେ ଦାମୀ ପ୍ଲଟ୍ ଓ ଫ୍ଲାଟ୍ ଠାବ  । ସମ୍ପତ୍ତିର ଚାଲିଛି ହିସାବକିତାବ ।   

38

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପୁଣି ପଡ଼ିଛନ୍ତି ଜଣେ ଯନ୍ତ୍ରୀ । ଗଞ୍ଜାମ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଶୀଲ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ବ୍ଲକ କାର୍ଯ୍ୟାଳୟ ସମେତ ୭ଟି ଠିକଣାରେ ଚଢ଼ାଉ ସମୟରେ ସମ୍ପତ୍ତି ଦେଖି ତାଟକା ହୋଇଛନ୍ତି ତଦନ୍ତ ଅଧିକାରୀ । ବଡ଼ କଥା ହେଉଛି ଯନ୍ତ୍ରୀ ବାବୁଙ୍କ ଅବସର ନେବାର ଦୁଇ ଦିନ ପୂର୍ବରୁ ମାଡ଼ ବସିଛି ଭିଜିଲାନ୍ସ। 

ଆଉ ଦୁଇ ଦିନ ପରେ ଅବସର ନେଇଥାନ୍ତେ । ମିଷ୍ଟର କ୍ଲିନ ହୋଇ ଚାକିରିରୁ ଖସିଯାଇଥାନ୍ତେ । କିନ୍ତୁ ଭିଜିଲାନ୍ସ ହାବୁଡ଼ରେ ପଡ଼ିଗଲେ ଗଞ୍ଜାମ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଶୀଲ ପଣ୍ଡା । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଙ୍କୁଲି ସ୍ଥିତ ବାସଭବନ, ଗଞ୍ଜାମ ବ୍ଲକ କାର୍ଯ୍ୟାଳୟ ସମେତ ବ୍ରହ୍ମପୁର ଓ ପୁରୀର ୭ଟି ଠିକଣାରେ ଚଢ଼ାଉ ଚାଲିଛି । ଏକକାଳୀନ ବିଭିନ୍ନ ଠିକଣାରେ ଚଢାଉ କରୁଛନ୍ତି ୬ଜଣ ଭିଜିଲାନ୍ସ ଡିଏସପି ଓ ୭ ଜଣ ଇନ୍ସପେକ୍ଟର । ବର୍ତ୍ତମାନ ସୁଦ୍ଧା କେତେ ସଂପତ୍ତି ଠାବ ହେଲା ସୂଚନା ମିଳିନାହିଁ । 

ଚଢ଼ାଉ ବେଳେ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଶୀଲ ପଣ୍ଡାଙ୍କ ବିଭିନ୍ନ ଠିକଣାର ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଛି । ଆଉ ଏ ହେଉଛି ଚଢ଼ାଉ ସମୟର ଦୃଶ୍ୟ । ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରୁଛନ୍ତି ଭିଜିଲାନ୍ସ ଅଧିକାରୀ, ଆଉ ହତାଶ ହୋଇ ବସିଛନ୍ତି ସହକାରୀ ନିର୍ବାହୀ ଯନ୍ତ୍ରୀ।  ଚଢ଼ାଉ ବେଳେ ତାଙ୍କ ମିଳିଛି :

୨ ଲକ୍ଷ ୫ ହଜାର ଟଙ୍କା, ସୁନା ଗହଣା 
ବ୍ରହ୍ମପୁର ରାମହରି ନଗରରେ ତିନି ମହଲା କୋଠା     
ବ୍ରହ୍ମପୁର ଆଙ୍କୁଲି ମୁକ୍ତେଶ୍ବର ଆପାର୍ଟମେଣ୍ଟରେ ଟୁ-ବିଏଚକେ ଫ୍ଲାଟ୍   
ଆଙ୍କୁଲି ମୁକ୍ତେଶ୍ୱର ଆପାର୍ଟମେଣ୍ଟରେ ଭାଇ ନାଁରେ ଫ୍ଲାଟ୍
ପୁରୀ ଚୁଡ଼ଙ୍ଗସାହିରେ ଗୋଟିଏ ଫ୍ଲାଟ୍
ଭୁବନେଶ୍ବର, ଖୋର୍ଦ୍ଧା ଓ ବ୍ରହ୍ମପୁରରେ ୬ଟି ଦାମୀ ପ୍ଲଟ୍ 

ପତ୍ନୀ ଓ ଯନ୍ତ୍ରୀ ସୁଶୀଲ ପଣ୍ଡାଙ୍କ ନାଁରେ ଥିବା ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କରେ ଥିବା ଲକର ଖୋଲାଯାଇନି । ଚାକିରି କାଳରେ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ବେଆଇନ ଭାବେ ଠୁଳ କରିଥିବା ସଂପତ୍ତିର ଗୋଟି ଗୋଟି କରି ହିସାବ ନେଉଛି ଭିଜିଲାନ୍ସ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe