କନକ ବ୍ୟୁରୋ : ଆସୁଛି ଆଉ ଏକ ଲଘୁଚାପ । ଦକ୍ଷିଣପୂର୍ବ ବାଂଲାଦେଶ ଉପରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଯାଥା ଆସନ୍ତା ୨୪ ଘଣ୍ଟାରେ ବାଂଲାଦେଶ ଲଘୁଚାପ ସମ୍ଭାବନା ରହିଛି । ପଶ୍ଚିମ-ଉତ୍ତରପଶ୍ଚିମକୁ ଗତି କରି ଅବପାତରେ ପରିଣତ ହୋଇପାରେ । ପ୍ରଭାବରେ ୧୩ ତାରିଖରୁ ୧୫ ପର୍ୟ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ୧୩ରେ କଳାହାଣ୍ଡିକୁ ଅରେଞ୍ଜ ୱାର୍ଣ୍ଣିଂ ବେଳେ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଦିଆଯାଇଛି ।
ଗତକାଲିର ଘୁର୍ଣ୍ଣିବଳୟ ବର୍ତ୍ତମାନ ଦକ୍ଷିଣପୂର୍ବ ବାଂଲାଦେଶ ଓ ତତସଂଲଗ୍ନ ଅଂଚଳରେ ସକ୍ରିୟ ରହିଛି । ଘୁର୍ଣ୍ଣିବଳୟଟି ଅଧିକ ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟାରେ ଉପକୂଳବର୍ତ୍ତୀ ବଙ୍ଗଳାଦେଶ ଓ ତାର ପାର୍ଶ୍ୱବର୍ତ୍ତୀ ଅଂଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗ ଦେଇ ଗତି କରିବା ସହ ୪୮ ଘଂଟାରେ ତୀବ୍ର ହୋଇ ଅବପାତରେ ପରିଣତ ହେବ । ପରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ବି ପରିଣତ ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।
ଏହା ପ୍ରଭାବରେ ରାଜ୍ୟରେ ଭାରି ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ବିଶେଷ ଭାବେ ୧୩ , ୧୪ ଓ ୧୫ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଗୋଟେ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ମଧ୍ୟ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । ଆସନ୍ତା ୨୪ ଘଣ୍ଟା ପାଇଁ କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଉପକୂଳ ଓଡ଼ିଶାରେ ରହିବ ।
ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡ଼ା, ବରଗଡ଼, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ପାଇଁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନାକୁ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର । ଆସନ୍ତାକାଲିଠାରୁ ବର୍ଷାର ପରିମାଣ ବଢିବା ସହ ଅତି ପ୍ରବଳ ବର୍ଷା ପାଇଁ କଳାହାଣ୍ଡିରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ପାଇଁ ୧୪ ଜିଲ୍ଲା ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ରାୟଗଡ଼ା ଓ ଗଜପତିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୧୪ ତାରିଖରେ ମୟୁରଭଞ୍ଜ, ସୁନ୍ଦରଗଡ଼ ଓ କେନ୍ଦୁଝରକୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ସହ ସହ ୧୧ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପରେ ୧୫ ତାରିଖ ବେଳକୁ ବର୍ଷା କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।