କନକ ବ୍ୟୁରୋ : ପୁଣି ଜଣେ ବାବା ଆସିଛନ୍ତି ବିବାଦ ଘେରକୁ । ସାମ୍ନାକୁ ଆସିଛି କଠଉ ବାବାଙ୍କ ବିରୋଧରେ ଅଭିଯୋଗ । ନିଶାସକ୍ତ ଅବସ୍ଥାରେ ମାତାଲ ବାବା ମହିଳାଙ୍କୁ ଗାଳି ଗୁଲଜ କରୁଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଜଣେ ଦିବ୍ୟାଙ୍ଗ ଓ ତାଙ୍କ ପତ୍ନୀ । ଭୁବନେଶ୍ବର ଖଣ୍ଡଗିରି ଥାନାରେ କଠଉ ବାବାଙ୍କ ନାଁରେ ମାମଲା କରିଛନ୍ତି । ଗତକାଲି ବ୍ୟକ୍ତି ଜଣକ ତାଙ୍କ ଦୋକାନ ବନ୍ଦ କରିବାକୁ ଯାଉଥିବା ବେଳେ, କଠଉ ବାବା ଟଙ୍କା ମାଗିଥିଲେ । ବାବାଙ୍କ ମଠ ଆଗରେ ଦୋକାନ କରିଥିବାରୁ ପ୍ରତିଦିନ ଶହେ ଟଙ୍କା ବାବାଙ୍କୁ ଦେବାକୁ ପଡ଼େ । ହେଲେ ଅଧିକ ଟଙ୍କା ମାଗିବାରୁ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା ।
କଠଉ ବାବା କିଭଳି ନିଶାସକ୍ତ ଅବସ୍ଥାରେ ସବୁବେଳେ ରୁହନ୍ତି ତାର ଭିଜୁଆଲ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କଦଳୀ ପତ୍ର ଉପରେ ଆମିଷ ଭୋଜନ ସହିତ ମଦ୍ୟପାନ କରୁଥିବା ଚିତ୍ରକୁ ମୋବାଇଲରେ କଏଦ କରିବା ସହିତ ଥାନାରେ ଅଭିଯୋଗ କରିଛନ୍ତି ମହିଳା ଓ ତାଙ୍କ ସ୍ୱାମୀ । ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଏନେଇ ସମ୍ପୃକ୍ତ ବାବାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
Follow Us