କନକ ବ୍ୟୁରୋ: ଆଜି ଭୋଟ୍ ଦେଉଛି ଦିଲ୍ଲୀ, କିଏ ଏଠି ସରକାର ଗଢିବ? କିଏ ମୁଖ୍ୟମନ୍ତ୍ରୀ ଆସନରେ ବସିବ? ସେନେଇ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା । ଆଉ ଏହାରି ଭିତରେ ସମାଜସେବୀ ତଥା ପ୍ରସିଦ୍ଧ ଗାନ୍ଧୀବାଦୀ ନେତା ଅନ୍ନା ହଜାରେ କେଜ୍ରିଓ୍ୱାଲଙ୍କୁ ନେଇ ଦେଇଛନ୍ତି ଏକ ବଡ଼ ବୟାନ । ଅନ୍ନା ହଜାରେ କହିଛନ୍ତି, ଯେବେଠୁ ଅରବିନ୍ଦ କେଜ୍ରିଓ୍ୱାଲ ରାଜନୈତିକ ଦଳ ବନେଇଛନ୍ତି, ସେବେଠୁ ସେ ଆଉ ତାଙ୍କ ସହିତ କଥା ହେଉନାହାଁନ୍ତି ।
ଅନ୍ନା ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ସାମାଜିକ କାମ ପାଇଁ ତାଙ୍କ ସହ ଯାଇଥିଲି । ହେଲେ ମୁଁ କାହା ଉପରେ କିଛି ବି ଆରୋପ ଲଗାଇବାକୁ ଚାହୁଁନି । ଯେ ଯେମିତି କରିବ, ସେମିତି ପାଇବ । ଏହାସହ କେଜ୍ରିଓ୍ୱାଲଙ୍କ ସହ ତାଙ୍କର ପୁରୁଣା ଦିନର କଥାକୁ ମଧ୍ୟ ଅନ୍ନା ମନେ ପକାଇଛନ୍ତି ।
ଅନ୍ନା କହିଛନ୍ତି ଯେ, ଭୋଟ୍ ଦେବା ପୂର୍ବରୁ ଲୋକମାନେ ପ୍ରାର୍ଥୀମାନଙ୍କର ଆଚରଣ, ବ୍ୟବହାର ଆଉ ଜୀବନଶୈଳୀକୁ ଦେଖିବା ଦରକାର । ଏହାପରେ ଯାଇ ସେମାନଙ୍କୁ ସମର୍ଥନ ଦେବା ଦରକାର । ଏହାସହ କେଜ୍ରିଓ୍ୱାଲ ପ୍ରାରମ୍ଭିକ ସମୟରେ ସାମାଜିକ କାମ ପାଇଁ ତାଙ୍କ ସହ ରହିଥିଲେ । ଯେବେଠୁ ସେ ନୂଆ ଦଳ ଗଠନ କରିଛନ୍ତି, ସେବେଠୁ ଆଉ ତାଙ୍କ ସହ ଅନ୍ନା ହଜାରେ କଥା ହେଇନାହାଁନ୍ତି ବୋଲି ସେ କହିଛନ୍ତି ।
ଜାଣିରଖିବା ଉଚିତ୍ ଯେ, ଅନ୍ନା ହଜାରେଙ୍କ ନେତୃତ୍ୱରେ ହିଁ ଦୁର୍ନୀତି ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଥିଲା । ଭ୍ରଷ୍ଟାଚାର ବିରୋଧୀ ଏହି ଆନ୍ଦୋଳନ କଂଗ୍ରେସ ସରକାରକୁ ସତ୍ତାରୁ ହଟେଇ ଦେଇଥିଲା । ଯେଉଁଥିରେ ଅନ୍ନା ହଜାରେଙ୍କ ସାଥ୍ ଦେଇଥିଲେ ଅରବିନ୍ଦ କେଜ୍ରିଓ୍ୱାଲ । ତେବେ ଏହାପରେ କିନ୍ତୁ କେଜ୍ରିଓ୍ୱାଲ୍ ଆମ୍ ଆଦମୀ ପାର୍ଟି ଗଠନ କରିବା ସହିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ଆଉ ସେବେଠୁ ତାଙ୍କ ଦଳ ଲଗାତାର ଦିଲ୍ଲୀରେ ସତ୍ତା ହାସଲ କରିବାରେ ଲାଗିଛି । ୨୦୧୩ରେ ୨୮ ସିଟ୍ ଜିତି ମଧ୍ୟ ଦଳ ସରକାର ଗଠନ କରିଥିଲା । ଏହାପରେ ୨୦୧୫ରେ ୬୭ ସିଟ୍ ଆଉ ୨୦୨୦ରେ ୬୨ ସିଟ୍ ଜିତିଥିଲା ଦଳ । ହେଲେ ଏବେ ଦିଲ୍ଲୀବାସୀ ପୁଣିଥରେ ନିର୍ବାଚନ ଭୋଟ୍ ଦେଉଥିବାବେଳେ, ଅନ୍ନା ହଜାରେଙ୍କ ଏହି ବୟାନ ଚର୍ଚ୍ଚା ସୃଷ୍ଟି କରିଛି ।