କନକ ବ୍ୟୁରୋ:  ଅନୀତା ଆନନ୍ଦ ଗୀତା ଛୁଇଁ ଶପଥ କରୁଛି
                    ସମସ୍ତଙ୍କ ସହ ମିଶି ଦେଶ ପାଇଁ କାମ କରିବି 
                      ଏକ ସମୃଦ୍ଧ ଓ ସୁରକ୍ଷିତ ସମାଜ ପାଇଁ ଚେଷ୍ଟା କରିବି...
ଏହା ଥିଲା କାନାଡାର ନୂଆ ବିଦେଶ ମନ୍ତ୍ରୀଙ୍କ ଶପଥ ପାଠ । ଶପଥ କରିବା ସାଧାରଣ କଥା ହୋଇପାରେ କିନ୍ତୁ ବିଦେଶ ମାଟିରେ ଯେତେବେଳେ କେହି ହିନ୍ଦୁ ଧର୍ମର ପ୍ରତୀକ ପବିତ୍ର ଗୀତାକୁ ସାକ୍ଷୀ ରଖି ଶପଥ ନିଏ ତାହା ଚର୍ଚ୍ଚାକୁ ଆସେ । ଏମିତି ଏକ ଖବର ସାଉଁଟିଛନ୍ତି କାନାଡାର ନୂଆ ବିଦେଶ ମନ୍ତ୍ରୀ ଅନୀତା  ଆନନ୍ଦ । ହାତରେ ଗୀତାକୁ ଧରି ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। 

Advertisment

କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ଣ୍ଣି, ନିଜ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରିଛନ୍ତି । ଏହି କ୍ରମରେ ଭାରତୀୟ ବଂଶୋଦ୍ଭବ ଅନୀତା ଆନନ୍ଦଙ୍କୁ ଦେଇଛନ୍ତି ବଡ ଦାୟିତ୍ବ । ଅନୀତାଙ୍କୁ କାନାଡାର ବିଦେଶ ମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି । ଏହା ପୂର୍ବରୁ ଅନୀତା ପୂର୍ବ ସରକାରରେ ପରିବହନ ମନ୍ତ୍ରୀ , ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିଜର ଦକ୍ଷତା ପ୍ରମାଣିତ କରିସାରିଛନ୍ତି । 

ଅନୀତା ଭାରତୀୟ ବଂଶୋଦ୍ଭବ । ତାଙ୍କ ବାପା ତାମିଲନାଡୁର ହୋଇଥିବାବେଳେ ମା’ ଜଣେ ପଞ୍ଜାବୀ । କିନ୍ତୁ ଦୀର୍ଘ ବର୍ଷ ପୂର୍ବରୁ ବାପା, ମା’ ଯାଇ କାନାଡାରେ ରହି ସେଠିକାର ନାଗରିକତ୍ବ ଗ୍ରହଣ କରିଛନ୍ତି । ସେଠାରେ ଅନୀତାଙ୍କର ପାଠପଢାଠାରୁ ଆରମ୍ଭ କରି ରାଜନୀତି କ୍ୟାରିଅରର ଆରମ୍ଭ ହୁଏ ।  

୧୯୬୭ରେ ଅନୀତାଙ୍କ ଜନ୍ମ ନୋବା ସ୍କୋଟିୟାରେ ହୋଇଥିଲା । ତାଙ୍କର ବାପା, ମା’ ଦୁହେଁ ଡାକ୍ତର । ରାଜନୀତିକୁ ଆସିବା ପୂର୍ବରୁ ଅନୀତା ଟୋରୋଣ୍ଟୋ ବିଶ୍ବବିଦ୍ୟାଳୟରେ  ଲ ପ୍ରଫେସର ଥିଲେ। ଅନୀତାଙ୍କ ରାଜନୀତି କ୍ୟାରିଅର ବି ଖୁବ୍ ସୁଦୃଢ । 
ଅନୀତା ୨୦୧୯ରେ ଓକୱିଲରୁ ସାଂସଦ ଭାବେ ନିର୍ବାଚନ ଜିତିଥିଲେ। 
୨୦୨୧ରୁ ୨୦୨୩ ଯାଏଁ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ
୨୦୨୩ରୁ ୨୦୨୪ ବର୍ଷେ ଟ୍ରେଜେରୀ ବୋର୍ଡର ଅଧ୍ୟକ୍ଷା ଭାବେ ନିଯୁକ୍ତ ହୋଇଥିଲେ । ୨୦୨୫ରେ ମଧ୍ୟ ତାଙ୍କର ଏହି ଆସନ ସ୍ଥିର ରହିଥିଲା 
ଏହାପରେ ମାର୍କ କାର୍ଣ୍ଣିଙ୍କ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ପାଇଲେ


ବିଦେଶରେ ଏତେ ବଡ ବଡ ପଦରେ ଥାଇ ବି ଅନୀତା ସବୁବେଳେ ଭାରତୀୟ ସଂସ୍କୃତିକୁ ଗୁରୁତ୍ବ ଦେଇଆସିଛନ୍ତି । ପ୍ରବାସୀ ଭାରତୀୟ ଦିବସ ହେଉ କି ଗଣତନ୍ତ୍ର ଦିବସ ହେଉ ସେ ସବୁବେଳେ ଭାରତ ସହ ନିଜର ସମ୍ପର୍କକୁ ବଜାୟ ରଖିଛନ୍ତି । ଜଷ୍ଟିନ୍ ଟୁଡୋ ପ୍ରଧାନମନ୍ତ୍ରୀ ଥିବା ସମୟରେ ଅନୀତା ଥିଲେ ପରିବହନ ଓ ବ୍ୟାପାର ମନ୍ତ୍ରୀ । ପ୍ରତିରକ୍ଷା ମନ୍ତ୍ରୀ ଥିବାବେଳେ ଭାରତ ସହ କାନାଡାର ପ୍ରତିରକ୍ଷା ସମ୍ବନ୍ଧକୁ ମଜବୁତ୍ କରିବା ଦିଗରେ କାର୍ଯ୍ୟ କରିଛନ୍ତି ଅନୀତା ।

ତେବେ ମାର୍କ କାର୍ଣ୍ଣିଙ୍କ ସରକାରରେ ବିଦେଶ ମନ୍ତ୍ରୀ ଭାବେ ଶପଥ ନେବା ,ତାହା ପୁଣି ଗୀତା ଛୁଇଁ ଶପଥ ନେବାବେଳେ ସମସ୍ତଙ୍କ ଆଖି ତାଙ୍କ ଉପରେ ଥିଲା । ପ୍ରକୃତରେ ଅନୀତା ପୁଣି ପ୍ରମାଣିତ କରିଛନ୍ତି, ରହଣି ଯେଉଁଠି ହେଉନା କାହିଁକି ଭାରତର ମାଟି ତାଙ୍କ ପାଇଁ ସବୁବେଳେ ମହାନ୍ ।