କନକ ବ୍ୟୁରୋ: ଆଧ୍ୟାତ୍ମିକ ଗୁରୁ ତଥା କଥାବାଚକ ଅନିରୁଦ୍ଧାଚାର୍ଯ୍ୟ ମହାରାଜ ଲିଭ୍-ଇନ୍ ସମ୍ପର୍କକୁ ନେଇ ଦେଇଥିବା ଏକ ମନ୍ତବ୍ୟ ପାଇଁ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ତାଙ୍କର ଏହି ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନା କରାଯାଉଥିବା ବେଳେ ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କ ଭଉଣୀ ତଥା ପୂର୍ବତନ ସେନା ଅଧିକାରୀ ଖୁସବୁ ପଟାନୀ ଏହା ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି।

Advertisment

ଅନିରୁଦ୍ଧାଚାର୍ଯ୍ୟଙ୍କ ବିବାଦୀୟ ମନ୍ତବ୍ୟ 
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଅନିରୁଦ୍ଧାଚାର୍ଯ୍ୟ ଲିଭ୍-ଇନ୍ ସମ୍ପର୍କରେ ରହୁଥିବା ମହିଳାଙ୍କୁ ଇଙ୍ଗିତ କରି କହିଛନ୍ତି, "ପୁଅମାନେ ୨୫ ବର୍ଷର ଝିଅମାନଙ୍କୁ ଆଣୁଛନ୍ତି, ଯେଉଁମାନେ ୪-୫ ଜାଗାରେ ମୁହଁ ମାରି ଆସିଥାନ୍ତି ।"ଏହି ବୟାନ ପରେ ସାରା ଦେଶରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି ଏବଂ ଅନେକ ଲୋକ ତାଙ୍କୁ ନାରୀ ବିରୋଧୀ ବୋଲି କହି ସମାଲୋଚନା କରିଛନ୍ତି ।

ଦିଶା ପଟାନୀଙ୍କ ଭଉଣୀ ଖୁସବୁଙ୍କ ପ୍ରତିକ୍ରିୟା
ଅନିରୁଦ୍ଧାଚାର୍ଯ୍ୟଙ୍କ ଏହି ମନ୍ତବ୍ୟକୁ ଦୃଢ଼ ବିରୋଧ କରି ଖୁସବୁ ପଟାନୀ ଏକ ଭିଡିଓ ଜାରି କରି ନିଜର କ୍ରୋଧ ପ୍ରକାଶ କରିଛନ୍ତି। ସେ କହିଛନ୍ତି, "ଯଦି ଏହି ବ୍ୟକ୍ତି ମୋ ସାମ୍ନାରେ ଥାଆନ୍ତେ, ମୁଁ ତାଙ୍କୁ ବୁଝାଇ ଦେଇଥାନ୍ତି ମୁହଁ ମାରିବା କ’ଣ। ଏମାନେ ରାଷ୍ଟ୍ର-ବିରୋଧୀ। ଆପଣମାନେ ଏଭଳି ନୀଚ୍ଚ ଶ୍ରେଣୀର ବଦମାସଙ୍କୁ ସମର୍ଥନ କରିବା ଉଚିତ ନୁହେଁ। ଏହି ସମାଜର ସମସ୍ତ ମୂର୍ଖ ଓ ନପୁଂସକ ଲୋକମାନେ ହିଁ ତାଙ୍କୁ ଅନୁସରଣ କରୁଛନ୍ତି।"

କେବଳ ମହିଳାଙ୍କୁ କାହିଁକି ଟାର୍ଗେଟ କରାଗଲା?
ଖୁସବୁ ପଟାନୀ ନିଜ ଭିଡିଓରେ ପ୍ରଶ୍ନ କରିଛନ୍ତି ଯେ ଅନିରୁଦ୍ଧାଚାର୍ଯ୍ୟଙ୍କ ମନ୍ତବ୍ୟ କେବଳ ଲିଭ୍-ଇନ୍‌ରେ ରହୁଥିବା ମହିଳାଙ୍କ ପାଇଁ କାହିଁକି ଉଦ୍ଦିଷ୍ଟ ଥିଲା । ସେ ଅନିରୁଦ୍ଧାଚାର୍ଯ୍ୟଙ୍କ ବୟାନ ବିରୋଧରେ  ପ୍ରଶ୍ନ ଉଠାଇ କହିଛନ୍ତି ଯେ ବିବାହ ପୂର୍ବରୁ ଲିଭ୍-ଇନ୍ ସମ୍ପର୍କରେ ରହିବାକୁ ପସନ୍ଦ କରୁଥିବା ପୁଅମାନଙ୍କ ବିଷୟରେ ସେ କାହିଁକି କିଛି କହିଲେ ନାହିଁ ? ଖୁସବୁ ଜୋର ଦେଇ କହିଛନ୍ତି ଯେ ଲିଭ୍-ଇନ୍ ସମ୍ପର୍କରେ ଉଭୟ ପୁରୁଷ ଏବଂ ମହିଳାଙ୍କ ସମ୍ମତି ରହିଥାଏ ଏବଂ ବିବାହ ପୂର୍ବରୁ ଅନ୍ୟ କାହା ସହିତ ରହିବା ଭୁଲ ବୋଲି ଧାରଣାକୁ ସେ ଚ୍ୟାଲେଞ୍ଜ କରିଛନ୍ତି । ସେ ଆଧ୍ୟାତ୍ମିକ ଗୁରୁଙ୍କ ଏହି ଲିଙ୍ଗଗତ ଭେଦଭାବପୂର୍ଣ୍ଣ ମନ୍ତବ୍ୟକୁ ନିନ୍ଦା କରିବା ସହ ଏଭଳି ଚିନ୍ତାଧାରାକୁ ସମର୍ଥନ କରୁଥିବା ଲୋକଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ।  ଏହି ବିବାଦ ବଢ଼ିବା ପରେ କିଛି ରିପୋର୍ଟ ଅନୁସାରେ ଅନିରୁଦ୍ଧାଚାର୍ଯ୍ୟ କ୍ଷମା ମାଗିଥିବା କଥା ମଧ୍ୟ ସାମ୍ନାକୁ ଆସିଛି ।