କନକବ୍ୟୁରୋ : ମାଛଶୂନ୍ୟ ହୋଇଗଲା ଅନୁଗୁଳର ପରଙ୍ଗ ଡ୍ୟାମ । ଗତ ୫ ଦିନ ହେଲା ଡ୍ୟାମରେ ମାଛମଡକ ଜାରି ରହିଛି। ପରୀକ୍ଷା ପାଇଁ ଏତେ ବଡ଼ ଜଳଭଣ୍ଡାରରୁ ମିଳିଲା ନାହିଁ ଜିଅନ୍ତା ମାଛଟିଏ । ଭୁବନେଶ୍ୱର ସ୍ଥିତ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ଫ୍ରେସୱାଟର ଆକ୍ୱାକଲଚର୍ ଅର୍ଥାତ୍‌ ସିଫାର ଏକ ବୈଜ୍ଞାନିକ ଟିମ ଆଜି ପରଙ୍ଗ ଡ୍ୟାମରେ ପହଞ୍ଚିଥିଲେ ।  ପାଣିର ମାନ ଓ ମାଛ ମୃତ୍ୟୁରୁ କାରଣ ଜାଣିବା ପାଇଁ ଚେଷ୍ଟା କରିଛନ୍ତି । ପରୀକ୍ଷା ପାଇଁ ଜିଅନ୍ତା ମାଛ ଆବଶ୍ୟକ। ତେଣୁ ମତ୍ସ୍ୟଜୀବୀମାନେ ଡଙ୍ଗାରେ ଭିତରକୁ ଯାଇ ବଡ଼ମାଛଟିଏ ଧରିବା ପାଇଁ ଉଦ୍ୟମ କରିଥିଲେ  , ହେଲେ ମିଳିଲା ନାହିଁ । ଶେଷରେ ଦୁଇଟି ଛୋଟ ଛୋଟ ଜିଅନ୍ତା ମାଛ ଧରାଯାଇଛି ।

Advertisment

ଅଧିକ ପଢନ୍ତୁ ....  ରାଜଧାନୀରେ ମହିଳା ଡାକ୍ତରଙ୍କୁ ଅସଦାଚରଣ : ବନ୍ଧା ହେଲା ରସିକିଆ ଡାକ୍ତର କେ. ସେଠୀ

ସିଫାର ବୈଜ୍ଞାନିକଙ୍କ କହିବା ଅନୁସାରେ, ପରଙ୍ଗ ଡ୍ୟାମରେ କାହିଁକି ଏଭଳି ମାଛମଡକ ପଡ଼ିଲା ? ତାହାର କାରଣ ଜାଣିବାକୁ ପାଣି ଓ ମାଛ ନମୁନା ସଂଗ୍ରହ କରାଯାଇଛି।  ୩-୪ ଦିନରେ ରିପୋର୍ଟ ଆସିବା ପରେ ମାଛ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ ।  ସେହିଭଳି ଆଜି ଅନୁଗୁଳ କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି ।  ସେ କହିଛନ୍ତି, ଏବେ ମତ୍ସ୍ୟ ବିଭାଗ, କୃଷି ବିଭାଗ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଟିମ୍‌ ପାଣି ନମୁନା ପରୀକ୍ଷା ପାଇଁ ନେଇଛନ୍ତି ।  ସେମାନଙ୍କ ରିପୋର୍ଟ ଆସିବା ପରେ ଜଣାପଡ଼ିବ, କେଉଁ କାରଣରୁ ବିଷାକ୍ତ ହୋଇଛି ପରଙ୍ଗ ଡ୍ୟାମ୍‌ । ଏହାପରେ ଡ୍ୟାମ ପାଣିକୁ ବିଶୁଦ୍ଧ କରିବାକୁ ଆବଶ୍ୟକ ପଦକ୍ଷେପ ନିଆଯିବ ।  ଏପଟେ ଡ୍ୟାମ ମାଛଶୂନ୍ୟ ହେବା ପରେ ଜୀବନଜୀବିକା ନେଇ ଚିନ୍ତାରେ ପଡ଼ିଛନ୍ତି ମତ୍ସ୍ୟଜୀବୀ ।