କନକବ୍ୟୁରୋ : ଋତୁସ୍ରାବ। ନାରୀ ଜୀବନର ଗୁରୁତ୍ୱପୂର୍ଣ୍ଣ ସମୟ। ଋତୁସ୍ରାବ ଜନିତ ସମସ୍ୟାର ସମାଧାନ ପାଇଁ ସରକାର ଯୋଜନା ଆଣିଲେ । 'ଖୁସି' ମାଧ୍ୟମରେ ସମସ୍ତଙ୍କ ପାଖରେ ନାପକିନ୍ ପହଞ୍ଚାଇବା ଲାଗି ବ୍ୟବସ୍ଥା କଲେ  ।  ହେଲେ ଆଜିବି ଅନେକ ଦୁର୍ଗମ ଅଞ୍ଚଳରେ କିଶୋରୀଙ୍କ ପାଖରେ ପହଂଚି ପାରିନି ଖୁସି। ସରକାରୀ ଯୋଜନା ବାଟବଣା ହୋଇଥିବା ବେଳେ ଆଗକୁ ଆସିଛନ୍ତି ଯବାନ ।  ଅପହଞ୍ଚ ଅଞ୍ଚଳରେ ପହଞ୍ଚି ମହିଳାଙ୍କୁ ସଚେତନ କରି ନାପକିନ୍ ବାଣ୍ଟିଛନ୍ତି ଯବାନ ହାସ୍ୟଜିତ୍‌ଙ୍କ ପରିବାର । 

Advertisment

ଅନୁଗୁଳର ଉପାନ୍ତରେ ଅପହଞ୍ଚ ସରକାରଙ୍କ ‘ଖୁସି' ଯୋଜନା । ରିହାତି ଦରରେ ମିଳୁନାହିଁ ନାପକିନ୍ ।   ଅଭାବୀ ପରିବାରର ଝିଅ ବୋହୂ ଅଧିକ ଦରରେ ଦୋକାନରୁ ସାନିଟାରୀ ନାପକିନ୍ କିଣି ବ୍ୟବହାର କରିବା ସମ୍ଭବ ହେଉନାହିଁ ।  ତେଣୁ ଏବେ ବି ପୁରୁଣା ଢଙ୍ଗରେ ଚଳୁଛନ୍ତି ।  ଏକଥା ଜାଣିବା ପରେ ସହଯୋଗର ହାତ ବଢ଼ାଇଛନ୍ତି ଯବାନ ହାସ୍ୟଜିତ୍ ସାହୁ ।    ବେତର ଗାଁକୁ ଯାଇ ମହିଳା ଓ କିଶୋରୀଙ୍କୁ ସଚେତନ କରାଇବା ସହ ସାନିଟାରି ନାପକିନ୍ ବାଣ୍ଟିଛନ୍ତି ଯବାନ ଓ ତାଙ୍କ ସ୍ତ୍ରୀ । 

ଯେଉଁଠି ସରକାରୀ ଯୋଜନା ଅପହଞ୍ଚ ସେଠି ପହଞ୍ଚିଛନ୍ତି ବନ୍ତଳା ଗାଁର ଯବାନ ହାସ୍ୟଜିତ୍ ସାହୁ  ।   ଦେଶସେବାକୁ ଜୀବନର ବ୍ରତ କରିଥିବା ଯବାନ ଜଣଙ୍କ ଛୁଟିରେ ଆସିଲେ ସମାଜ ସେବାରେ ଲାଗିପଡ଼ନ୍ତି ।   ପତ୍ନୀ ସ୍ବର୍ଣପ୍ରଭାଙ୍କୁ ସାଥିରେ ଧରି ଜନହିତକର କାମ କରନ୍ତି ,  ଏଥର ଛୁଟି ଉପାନ୍ତ ଗାଁର ଝିଅ-ବୋହୂଙ୍କ ଗହଣରେ ବିତିଛି । ପାହାଡ଼ି ରାସ୍ତା ଦେଇ ଜଙ୍ଗଲଘେରା ବେତର ଗାଁକୁ ଯାଇ ମହିଳା ଓ କିଶୋରୀଙ୍କୁ ଏକାଠି କରି ଋତୁସ୍ରାବକାଳୀନ ସତର୍କତା ସଂପର୍କରେ ସଚେତନ କରାଇଛନ୍ତି ଏହି ଦମ୍ପତି ।