କନକ ବ୍ୟୁରୋ : କୁହନ୍ତି ପ୍ରେମରେ ପଡ଼ିଲେ କୁଆଡ଼େ ରାତିର ନିଦ ଉଡ଼ିଯାଏ କିନ୍ତୁ ଏଇଠି ତ କଥା ହିଁ ଓଲଟା ହୋଇଗଲା । ରାତିରେ ଶୋଇପାରୁନାହାନ୍ତି ପ୍ରେମିକା ହେଲେ ପ୍ରେମ ପାଇଁ ନୁହେଁ କରେଣ୍ଟ୍ ପାଇଁ । ଆଉ କରେଣ୍ଟ୍ ଯିବା ପଛରେ କାହାର ହାତ ଜାଣିଛନ୍ତି ପାଗଳ ପ୍ରେମିକଙ୍କର । ପାଠକବନ୍ଧୁ ହଁ,ପ୍ରେମିକ ଜଣକ ପ୍ରେମରେ ଏତେ ହତାଶ ହୋଇଗଲେ ଯେ ରାଗି ଯାଇ ପ୍ରେମିକାଙ୍କ ଗାଁର ବିଦ୍ୟୁତଖୁଣ୍ଟରେ ଚଢ଼ି ସବୁ ତାର କଟ୍ କଟ୍ କରି କାଟିଦେଲେ । ହେଲେ ଏମିତି କ’ଣ ହେଲା ଯେ ଭଲପାଉଥିବା ପ୍ରେମିକାଙ୍କ ଉପରେ ରାଗି ପୂରା ଗାଁକୁ ଅନ୍ଧାର କରିଦେଲେ ପ୍ରେମିକ , ଆସନ୍ତୁ ଜାଣିବା ।
ଗତ କିଛିଦିନ ହେଲା ସୋସିଆଲ୍ ମିଡିଆରେ ଗୋଟିଏ ଭିଡିଓ ଖୁବ୍ ଭାଇରାଲ୍ ହେଉଛି । ଯେଉଁଥିରେ ଦେଖାଯାଉଛି ଯେ ହାତରେ ପ୍ଲାୟର୍ ଧରି ଜଣେ ଯୁବକ ବିଜୁଳିଖୁଣ୍ଟ ଉପରକୁ ଚଢ଼ି ଯାଇଛନ୍ତି । କେହି କିଛି ବୁଝିବା ପୂର୍ବରୁ ସେ ଖୁଣ୍ଟରେ ଥିବା ସବୁ ତାରକୁ କାଟି ପକାଉଛନ୍ତି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ , ଯୁବକ ଏଭଳି କାଣ୍ଡ କରିବା ପଛର କାରଣ ହେଉଛନ୍ତି ଗାଁରେ ଥିବା ତାଙ୍କ ପ୍ରେମିକା । ସେ ପ୍ରେମିକାଙ୍କୁ ବାରମ୍ବାର ଫୋନ୍ କରୁଥିଲେ ମଧ୍ୟ ତାଙ୍କ ନମ୍ବର ବ୍ୟସ୍ତ ଆସୁଥିବାରୁ ପ୍ରେମିକ ରାଗି ଯାଇ ପ୍ଲାୟର୍ ଧରି ପୂରା ଗାଁକୁ ଅନ୍ଧାର କରିଦେଲେ । ପ୍ରେମିକା ତ ହଇରାଣ ହେଲେ ତାଙ୍କ ସହ ପୂରା ଗାଁ ବିଜୁଳି ପାଇଁ ଅସ୍ତବ୍ୟସ୍ତ ହେଲେ ।
/filters:format(webp)/kanak/media/media_files/2025/09/06/lover-2025-09-06-09-23-59.webp)
ଏହି ଭିଡିଓକୁ ସୋସିଆଲ୍ ମିଡିଆରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୧ ମିଲିୟନରୁ ଅଧିକ ଲୋକ ଦେଖି ସାରିଲେଣି । ଭିଡିଓଟି ଏତେ କୌତୁହଳ ସୃଷ୍ଟି କରିଛି ଯେ ୟୁଜର କମେଣ୍ଟ୍ ମଧ୍ୟ ସେଭଳି ମଜାଳିଆ ଢ଼ଙ୍ଗରେ କରୁଛନ୍ତି । କେହି କହୁଛନ୍ତି ,ପ୍ରେମିକ ତ ହଜାରେ ଦେଖିଛୁ କିନ୍ତୁ ପାଗଳ ପ୍ରେମିକ ଆଜି ଦେଖିଲୁ । ଆଉ କେହି କମେଣ୍ଟ୍ କରିଛନ୍ତି , ପ୍ରେମିକ ପ୍ରେମିକା ସହ ଝଗଡ଼ା କଲେ ହାତର ଶିରା କାଟନ୍ତି କିନ୍ତୁ ଏ ପ୍ରେମିକ ତ ଗାଁର ଶିରା ହିଁ କାଟିଦେଲା । ତେବେ ଭିଡିଓଟି ଭାଇରାଲ୍ ହେବା ପରେ ପ୍ରେମିକା ନିଶ୍ଚୟ ଏବେ ପ୍ରେମିକଙ୍କ ଫୋନ୍ ଉଠାଇବେ ବୋଲି କହିଛନ୍ତି ୟୁଜର୍ ।