କନକବ୍ୟୁରୋ: କଙ୍ଗାରୁକୋର୍ଟରେ ଅଙ୍ଗନୱାଡି କର୍ମୀଙ୍କୁ ଦଣ୍ଡ। ଗଛରେ ବାନ୍ଧି ନିସ୍ତୁକ ପିଟିଲେ ଗ୍ରାମବାସୀ। ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ମହାପଦା ଗାଁରେ ଏଭଳି ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ମହିଳା ଜଣଙ୍କ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଉପମୁଖ୍ୟମନ୍ତ୍ରୀ ତାଙ୍କ ସହ ଫୋନରେ କଥା ହୋଇଛନ୍ତି।
ସୂଚନା ଅନୁସାରେ, ସୁଭଦ୍ରା ଯୋଜନାର କାମ କରିବାକୁ ଗାଁର କିଛି ବ୍ୟକ୍ତି ଅଙ୍ଗନୱାଡି କର୍ମୀଙ୍କୁ ବାରଣ କରିଥିଲେ। ସରକାରଙ୍କ ନିର୍ଦ୍ଦେଶ ମୁତାବକ ସଂପୃକ୍ତ ଅଙ୍ଗନବାଡ଼ି କର୍ମୀ ସୁଭଦ୍ର ପଂଜିକରଣ ଫର୍ମ ବଣ୍ଟନ କାର୍ଯ୍ୟ କରୁଥିଲେ। ଏହି ସମୟରେ ଗ୍ରାମର କେତେକ ଲୋକ ଆସି ତାଙ୍କୁ ଉକ୍ତ କାର୍ଯ୍ୟ ନକରିବାକୁ କହିଥିଲେ। କିନ୍ତୁ ସଂପୃକ୍ତ କର୍ମୀ ସେମାନଙ୍କ କଥା ନମାନି ଫର୍ମ ବଣ୍ଟନ କରିବା ସହିତ ସରକାରଙ୍କ ନିର୍ଦ୍ଦେଶ ମୁତାବକ ସୁଭଦ୍ରା ଯୋଜନା ପାଇଁ ଗ୍ରାମରେ ରାଲି କରିଥିଲେ।
ଏଥିପାଇଁ ତାଙ୍କ ଉପରେ ଆକ୍ରୋଶ ରଖିଥିଲେ ଗ୍ରାମବାସୀ। ଗତ ଶୁକ୍ରବାର ଦିନ ୧୧ଟା ବେଳେ କର୍ମୀ ଜଣକ କେନ୍ଦ୍ରରେ କାର୍ଯ୍ୟ ରତ ଥିବା ବେଳେ ହଠାତ୍ ଗାଁର କିଛି ମହିଳା ଓ ପୁରୁଷ ପହଞ୍ଚି ମିଳିତ ଭାବେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏଥିସହିତ କେନ୍ଦ୍ରରୁ ବାହାରକୁ ଘୋଷାରି ଆଣି ଗୋଟିଏ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ବାଲିଆପାଳ ସିଡିପିଓ ପାର୍ବତୀ ମୁର୍ମୁ, ବାଲିଆପାଳ ବ୍ଲକ୍ ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ସଂଘର ସମ୍ପାଦିକା ପୂର୍ଣ୍ଣିମା ଦେ, ବଢ଼ାଣ ଫାଣ୍ଡି ପୁଲିସ ଘଟଣାସ୍ଥଳରୁ କର୍ମୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଗ୍ରାମବାସୀ ଛାଡ଼ି ନଥିଲେ। ପୁଲିସ ନିରାସ ହୋଇ ଫେରି ଯାଇଥିଲା। ଦିନତମାମ ତାଙ୍କୁ ମନଇଚ୍ଛା ମାଡ଼ ମାରିଥିଲେ।
ଅପରାହ୍ନ ୫ଟାରେ ପୁଣି ବସିଥିଲା କଙ୍ଗାରୁ କୋର୍ଟ। ଏନେଇ ଥାନାରେ ଅଭିଯୋଗ ନକରିବାକୁ ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ ଲିଖିତ ପତ୍ର ରଖି ତାଙ୍କୁ ଛାଡ଼ି ଦେଇଥିଲେ ଗ୍ରାମବାସୀ। ପରେ କର୍ମୀଙ୍କ ଅଭିଯୋଗ କ୍ରମେ ସିଂଲା ଥାନାରେ ମାମଲା ରୁଜୁ ହୋଇଥିଲା। ତେବେ ଏଯାଏ ପୁଲିସ କାହାରିକୁ ଗିରଫ କରିନି। ଅନ୍ୟପଟେ କର୍ମୀଙ୍କ ନାଁରେ ପାଲଟା ଏତଲା ଦେଇଛନ୍ତି ଗ୍ରାମବାସୀ।
ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି କରି ଜିଲ୍ଲା ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବାଲେଶ୍ବର ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି। ଗତକାଲି ସଂଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସଂପୃକ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ଫୋନ୍ କରି ଘଟଣା ସଂପର୍କରେ ପଚାରି ବୁଝିଛନ୍ତି। ଏହି ଘଟଣାରେ ପୀଡିତାଙ୍କୁ ନିଶ୍ଚିତ ନ୍ୟାୟ ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି
Follow Us