କନକ ବ୍ୟୁରୋ : କେନ୍ଦ୍ର ଶିକ୍ଷା ନୀତି ଅନୁଯାୟୀ ରାଜ୍ୟ ସରକାର ପ୍ରତି ବିଦ୍ୟାଳୟରେ ବାଲ ବାଟିକା ଖୋଲିଲେ । ଅଙ୍ଗନଓ୍ୱାଡ଼ିର ଅନେକ ପିଲା ବାଲ ବାଟିକାରେ ନାଁ ଲେଖାଇଲେ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ବି ବାଲ ବାଟିକାର ଶୁଭାରମ୍ଭ କଲେ। କିନ୍ତୁ କେମିତି ଚାଲିଛି ବାଲ ବାଟିକା ତାହାର ଅନୁସନ୍ଧାନ କରିଥିଲୁ ଆମେ । ୩ ବର୍ଷରୁ ୬ ବର୍ଷ ଯାଏ ଛାତ୍ରଛାତ୍ରୀ ବାଲ ବାଟିକାରେ ପଢ଼ିବେ ବୋଲି ନିୟମ ରହିଛି । ନିୟମ ଅନୁଯାୟୀ, ଅନେକ କୁନି କୁନି ପିଲା ଅଙ୍ଗନଓ୍ୱାଡି ଛାଡ଼ି ବାଲ ବାଟିକାକୁ ଯାଉଛନ୍ତି । ତେବେ ରାଜ୍ୟରେ କିଭଳି ଚାଲିଛି ବ୍ୟବସ୍ଥା, ତାହା ଜାଣିବା ପାଇଁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲେ ଆମ ପ୍ରତିନିଧି ।
ଜୟପୁର ସାମନ୍ତରା ସାହି ପ୍ରାଥମିକ ବିଦ୍ୟାଳୟରେ ଚାଲିଥିଲା ପାଠପଢ଼ା । ଗୋଟିଏ ଶ୍ରେଣୀଗୃହରେ ଭିନ୍ନ ଭିନ୍ନ ଶ୍ରେଣୀର ପିଲା ପାଠ ପଢୁଥିଲେ । ଗୋଟିଏ ପଟେ ଶିକ୍ଷୟିତ୍ରୀ, ଆଉ ଗୋଟିଏ ପଟେ ଶିକ୍ଷକ ପଢ଼ାଉଥିଲେ । ଆଉ ଏହାରି ଭିତରେ ବସିଥିଲେ ବାଲ ବାଟିକାର ପିଲା । ଠିକ୍ ସେହିଭଳି ଛତ୍ରପୁର ସରକାରୀ ବାଳକ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହରେ ବସିଥିଲେ ୩ ଜଣ ଛାତ୍ରଛାତ୍ରୀ । ନା ନିୟମିତ ଆସୁଥିଲେ ପିଲା ନା ଥିଲେ ଶିକ୍ଷକ । ପ୍ରଥମ ଶ୍ରେଣୀର ଶିକ୍ଷକଙ୍କୁ ନିଜ କାମରୁ ସମୟ ମିଳିଲେ ପିଲାଙ୍କୁ ପାଠ ପଢ଼ାନ୍ତି।
ସ୍କୁଲ ପରିସରରେ ରହିଛି ଅଙ୍ଗନଓ୍ୱାଡ଼ି କେନ୍ଦ୍ର । ଏହି କେନ୍ଦ୍ରରୁ ବାହାରି ପିଲାମାନେ ବାଲ ବାଟିକାରେ ନାଁ ଲେଖାଇଛନ୍ତି । କିନ୍ତୁ ବିଡ଼ମ୍ବନାର କଥା ଖୋଦ ରାଜଧାନୀରେ ବି ସମାନ ଅବସ୍ଥା । ନା ଅଛି ଶ୍ରେଣୀ ଘର ନା ଅଛନ୍ତି ସ୍ୱତନ୍ତ୍ର ଶିକ୍ଷକ । ପ୍ରଥମ ଶ୍ରେଣୀରେ ହିଁ ବସିରହିଛନ୍ତି ବାଲ ବାଟିକାର ଛାତ୍ରଛାତ୍ରୀ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବିଦ୍ୟାଳୟର ବି ସମାନ ଅବସ୍ଥା । ବାଲ ବାଟିକାରେ ପିଲାମାନେ ନା ଲେଖାଇଛନ୍ତି ସତ କିନ୍ତୁ ଏମାନଙ୍କୁ ପଢ଼ାଇବା ପାଇଁ ନାହାନ୍ତି ଶିକ୍ଷକ । ଭିତ୍ତିଭୂମି ନଥାଇ କେନ୍ଦ୍ର ସରକାରଙ୍କ ଗୋଟିଏ ନିର୍ଦ୍ଦେଶରେ ରାଜ୍ୟରେ ଆରମ୍ଭ ହୋଇଗଲା ବାଲ ବାଟିକା । କିନ୍ତୁ ଏବେ ଅବହେଳିତ ଅବସ୍ଥାରେ ହଜାର ହଜାର ଛାତ୍ରଛାତ୍ରୀ । ଏହି କୁନି କୁନି ପିଲାଙ୍କ କଥା ବୁଝିବାକୁ କାହାରି ପାଖରେ ସମୟ ନାହିଁ ।