କନକବ୍ୟୁରୋ : ମଧ୍ୟପ୍ରଦେଶର ନିମଚ୍ ଜିଲ୍ଲା ରନପୁର ଗାଁରେ ଜଣେ ଅଙ୍ଗନବାଡି କେନ୍ଦ୍ରର ରୋଷେୟାଙ୍କ ସାହସ ଓ ତ୍ୟାଗ ଯୋଗୁ ପାଖାପାଖି ୨୦ ଜଣ କୋମଳମତି ଶିଶୁଙ୍କ ଜୀବନ ବଞ୍ଚି ଯାଇଛି । ମାଦବାଡା ପଞ୍ଚାୟତରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନେ ଖେଳୁଥିବା ସମୟରେ ହଠାତ୍ ମହୁମାଛି ଦଳ ମାଡ଼ି ଆସିଥିଲା । ଅନଙ୍ଗବାଡ଼ି କେନ୍ଦ୍ର ରୋଷେୟା କଞ୍ଚନ ବାଇ ମେଘୱାଲ ନିଜ ସୁରକ୍ଷା କଥା ଚିନ୍ତା ନ କରି ସେଠାରେ ପଡ଼ିଥିବା ତାରପୋଲିନ୍ ଓ ମ୍ୟାଟ୍ରେ ପିଲାଙ୍କୁ ଘୋଡ଼ାଇ ଅଙ୍ଗନବାଡ଼ି କେନ୍ଦ୍ର ଭିତରକୁ ନେଇଯାଇଥିଲେ ।
ଅଧିକ ପଢନ୍ତୁ.. ବଦଳିବ କ୍ରିକେଟ୍ ନିୟମ, ୭୩ଟି ସଂଶୋଧନ ଆଣିଲା ଏମ୍ସିସି
ମହୁମାଛି ଓ ପିଲାଙ୍କ ମଝିରେ କଞ୍ଚନ ବାଇ ଛିଡ଼ା ହୋଇ ସେମାନଙ୍କୁ ରକ୍ଷା କରିଦେଇଥିଲେ। ଶତାଧିକ ମହୁମାଛିଙ୍କ ଦଂଶନରେ କଞ୍ଚନ ବାଇଙ୍କ ମୃତ୍ୟୁ ହୋଇଥିଲା । ଗାଁଲୋକମାନେ ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚିବା ବେଳକୁ କଞ୍ଚନ ବାଇ ସବୁ ଶିଶୁଙ୍କୁ ରକ୍ଷା କରିପାରିଥିଲେ ମଧ୍ୟ ମହୁମାଛି ଦଂଶନରେ ନିଜେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ । ତାଙ୍କୁ ତୁରନ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲା ।
ଡାକ୍ତର କଞ୍ଚନବାଇଙ୍କୁ ମୃତ ଘୋଷଣା କରିଥିଲେ । କଞ୍ଚନ ବାଇଙ୍କ ଶରୀରରେ ମହୁମାଛିଙ୍କ ଅଗଣିତ ଦଂଶନ ଚିହ୍ନ ତାଙ୍କ ସାହସର ପରିଚୟ ଥିଲା । କଞ୍ଚନ ବାଇ ସ୍ବୟଂ ସହାୟକ ଗୋଷ୍ଠୀର ମୁଖ୍ୟ ଥିବାବେଳେ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। କଞ୍ଚନ ବାଇଙ୍କ ସ୍ବାମୀ ଶିବଲାଲ ପକ୍ଷାଘାତ ରୋଗୀ। ସେମାନଙ୍କର ଜଣେ ପୁଅ ଓ ଦୁଇଜଣ ଝିଅ ଅଛନ୍ତି । ଶବ ବ୍ୟବଚ୍ଛେଦ ପରେ ମଙ୍ଗଳବାର କଞ୍ଚନବାଇଙ୍କ ମୃତଦେହ ଗାଁରେ ପହଞ୍ଚି ଥିଲା । ସମସ୍ତେ ତାଙ୍କ ସାହସ ଓ ତ୍ୟାଗର ପ୍ରଶଂସା କରିଥିଲେ। ଗାଁରେ ମହୁମାଛିକୁ ନେଇ ଭୟର ବାତାବରଣ ରହିଛି । ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଥିବା ମହୁମାଛି ବସା ହଟେଇବା ଓ କଞ୍ଚନଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/04/04bbs_23_04022026_111-2026-02-04-13-34-18.jpg)