କନକ ବ୍ୟୁରୋ: ଉତ୍କଳ କ୍ଷେତ୍ର ନୀଳାଚଳ ଦିବ୍ୟ ପର୍ବତ ଉପରେ ରତ୍ନ ସିଂହାସନରେ ଦାରୁବ୍ରହ୍ମ ବିଗ୍ରହ ବିରାଜମାନ । ଭାରତ ବର୍ଷରେ ପ୍ରମୁଖ ତୀର୍ଥସ୍ଥଳୀ ଭାବେ ଏହା ଜଗନ୍ନାଥ ଧାମ , ପୁରୁଷୋତ୍ତମ ଧାମ, ପରବର୍ତ୍ତୀ ସମୟରେ ଶ୍ରୀକ୍ଷେତ୍ର ଧାମ , ପୁରୀ ନାମରେ ବିଶ୍ବବିଦିତ । ସ୍ବୟଂ ଦାରୁବ୍ରହ୍ମଙ୍କ ଆବିର୍ଭାବ ଯୋଗୁଁ ସାଧୁସନ୍ଥ, ମୁନି ଋଷି ଏଠାକୁ ଆସି ସାଧନା କରିଛନ୍ତି । ଏହି କ୍ରମରେ ପୂର୍ବରୁ ଅନେକ ସାଧୁଙ୍କର ଶ୍ରୀକ୍ଷେତ୍ର ପାଇଁ ରହିଛି ଅନେକ ଅବଦାନ । 

Advertisment

 ତଥ୍ୟ କୁହେ, ଦ୍ବାଦଶ ଶତାବ୍ଦୀରେ ଚୋଡ଼ଗଙ୍ଗଦେବଙ୍କ ସମୟରେ ଆଚାର୍ଯ୍ୟ ରାମାନୁଜ ଶ୍ରୀକ୍ଷେତ୍ର  ଆସିଥିଲେ । ସେ ରାଜାଙ୍କୁ ପ୍ରବର୍ତ୍ତାଇ ଶ୍ରୀମନ୍ଦିର ମଧ୍ୟରେ ମା’ ଲକ୍ଷ୍ମୀଙ୍କ ମନ୍ଦିର ପ୍ରତିଷ୍ଠା କରାଇଥିଲେ । ସେଥିପାଇଁ ରାମାନୁଜଙ୍କ ଚିତ୍ର ସବୁ ମା’ ମହାଲକ୍ଷ୍ମୀଙ୍କ ଜଗମୋହନର ଆଜିବି ଶୋଭା ପାଉଛି । ପରବର୍ତ୍ତୀ ସମୟରେ ତାଙ୍କ ଶିଷ୍ୟ ଗୋବିନ୍ଦଙ୍କ ଦ୍ବାରା ଶ୍ରୀକ୍ଷେତ୍ରରେ ପ୍ରତିଷ୍ଠା ହେଲା ଏମାର ମଠ । ଆସାମର ବିଶିଷ୍ଟ ଗୁରୁ ଶଙ୍କର ଦେବ ପୁରୀକୁ ଆସିଥିଲେ । ଏଠାରେ ଶ୍ରୀଚୈତନ୍ୟ ୧୮ ବର୍ଷ ଅତିବାହିତ କରିଥିଲେ । ଗୁରୁ ନାନକ ଏବଂ ସନ୍ଥ ତୁଳସୀ ଦାସ ଶ୍ରୀକ୍ଷେତ୍ରକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ । ତୁଳସୀ ଦାସଙ୍କ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ରଘୁନାଥ ବେଶ ହୋଇଆସୁଛନ୍ତି । ସନ୍ଥ କବୀର ମଧ୍ୟ ଶ୍ରୀକ୍ଷେତ୍ର ଆସିଥିଲେ, କ୍ରମେ ଏଠାରେ ମଠ କରି ମହାପ୍ରଭୁଙ୍କ ପ୍ରତି ନିଜକୁ ସମର୍ପି ଦେଇଥିଲେ  ।