କିଛି ଦିନ ତଳେ ଆଣ୍ଡ୍ରୋଏଡ୍ ଉପଭୋକ୍ତା ସେମାନଙ୍କ ଫୋନର ଡାଏଲର୍ ଇଣ୍ଟରଫେସ୍ ହଠାତ୍ ବଦଳିଯିବାରୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଉ ଆଶ୍ଚର୍ଯ୍ୟର କଥା ହେଉଛି ଏହି ପରିବର୍ତ୍ତନ କୌଣସି ଆପ୍ ଅପଡେଟ୍ କିମ୍ବା ଅନୁମତି ବିନା ହୋଇଥିଲା । ରାତିରେ ଶୋଇ ସକାଳୁ ଉଠିଲା ପରେ ଇଣ୍ଟରନେଟ୍ ସଂଯୋଗ କରିବାରୁ ଲୋକମାନେ ଦେଖିଲେ ଯେ ସେମାନଙ୍କ ଫୋନ୍ ଆପ୍ ନିଜେ ନୂଆ ଡିଜାଇନରେ ବଦଳି ଯାଇଛି । ଏହି କାରଣରୁ ସୋସିଆଲ ମିଡିଆରେ ଅନେକ ଉପଭୋକ୍ତା ଅସନ୍ତୋଷ ମଧ୍ୟ ବ୍ୟକ୍ତ କରିଥିଲେ । ଗୁଗଲ୍ ଫୋନ୍ ଆପର ପୂରା ଲେଆଉଟ୍ ବଦଳାଇ ଦେଇଛି । ଏବେ କଲ୍ ଲଗରେ ପୁରୁଣା ଢଙ୍ଗର ଗ୍ରୁପିଙ୍ଗ୍ ଲିଷ୍ଟ ଦେଖାଯାଉନାହିଁ ବରଂ ପ୍ରତି କଲ୍ ଅଲଗା ଅଲଗା ଦେଖାଯାଉଛି । କଲ୍ ହିଷ୍ଟ୍ରି ଏବଂ ଫେଭରାଇଟ୍ କଣ୍ଟାକ୍ଟକୁ ଗୋଟିଏ ସ୍ଥାନରେ, ଅର୍ଥାତ୍ ହୋମ୍ ଟ୍ୟାବରେ ଯୋଡ଼ାଯାଇଛି । ଏହା ସହିତ କଲ୍ସ ଏବେ ଗୋଲ୍ କଡ଼ ଥିବା କାର୍ଡସରେ ଦେଖାଯାଉଛି । ଏହା ବ୍ୟତୀତ ଏକ ନୂଆ ଫିଲ୍ଟର ସିଷ୍ଟମ ମଧ୍ୟ ଦିଆଯାଇଛି, ଯାହାଦ୍ୱାରା ମିସ୍ଡ କଲ୍, ସ୍ପାମ୍ ଏବଂ କଣ୍ଟାକ୍ଟକୁ ସହଜରେ ଅଲଗା କରାଯାଇପାରିବ ।
/filters:format(webp)/kanak/media/media_files/2025/08/24/telescaled-2025-08-24-12-37-39.jpg)
ଇନ-କଲ୍ ସ୍କ୍ରିନରେ ମଧ୍ୟ ବଡ଼ ପରିବର୍ତ୍ତନ କରାଯାଇଛି । ଏବେ କଲ୍ ରିସିଭ୍ କିମ୍ବା କଟ୍ କରିବା ପାଇଁ ବଡ଼ ଗୋଲ୍ ଏବଂ ଆୟତାକାର ବଟନ୍ ଦିଆଯାଇଛି । ଏହା ସହିତ ନୂଆ ଜେସଚର ସିଷ୍ଟମ ମଧ୍ୟ ଯୋଡ଼ାଯାଇଛି, ଯାହାଦ୍ୱାରା କଲ୍ ଉଠାଇବା କିମ୍ବା କାଟିବା ପାଇଁ ଉପଭୋକ୍ତା ସ୍ୱାଇପ୍ ଏବଂ ଟ୍ୟାପ୍ ଉଭୟ ବିକଳ୍ପ ବ୍ୟବହାର କରିପାରିବେ । ତେବେ ଏହି ପରିବର୍ତ୍ତନକୁ ଗୁଗଲ୍ ସର୍ଭର-ସାଇଡ୍ ଆକ୍ଟିଭେସନରୁ ଲାଗୁ କରିଛି । ଅର୍ଥାତ୍ କୌଣସି ଆପ୍ ଅପଡେଟ୍ ବିନା ଇଣ୍ଟରଫେସ୍ ବଦଳି ଯାଇଛି । Reddit ଏବଂ X ରେ ଅନେକ ଉପଭୋକ୍ତା ଲେଖିଛନ୍ତି ଯେ ଏହି ପରିବର୍ତ୍ତନ ସେମାନଙ୍କୁ ଦ୍ୱନ୍ଦ୍ୱରେ ପକାଉଛି ଏବଂ ଅନାବଶ୍ୟକ ଲାଗୁଛି । ତଥାପି କିଛି ଲୋକ ନୂଆ ଡିଜାଇନର ପ୍ରଶଂସା ମଧ୍ୟ କରିଛନ୍ତି ଏବଂ କହିଛନ୍ତି ଯେ ଏହା ପୂର୍ବ ଅପେକ୍ଷା ଅଧିକ ସଫା ଏବଂ ମଡର୍ଣ୍ଣ ଦେଖାଯାଉଛି ।
ଗୁଗଲ୍ର କହିବା ମୁତାବକ ଏହି ନୂଆ ଡିଜାଇନ୍ ଉପଭୋକ୍ତା ଗବେଷଣା ଉପରେ ଆଧାରିତ । କମ୍ପାନି ୧୮,୦୦୦ ରୁ ଅଧିକ ଲୋକଙ୍କ ଉପରେ ଷ୍ଟଡି କରିଛି ଏବଂ ଜାଣିବାକୁ ପାଇଛି ଯେ Material 3 Expressive Design ଠାରୁ ଉପଭୋକ୍ତା ଜରୁରୀ ବଟନ୍ ଏବଂ ସୂଚନା ଶୀଘ୍ର ଚିହ୍ନି ପାରୁଛନ୍ତି । ଏହି କାରଣରୁ ଏହି ଡିଜାଇନ୍ ସବୁଠାରୁ ପ୍ରଥମେ Phone ଆପରେ ଅଣାଯାଇଛି । ଗୁଗଲ୍ ସ୍ପଷ୍ଟ କରିଛି ଯେ ଖୁବ୍ ଶୀଘ୍ର ଏହି ପରିବର୍ତ୍ତନ Messages, Contacts, Gmail ଏବଂ Photos ଭଳି ଅନ୍ୟ ଆପ୍ସରେ ମଧ୍ୟ ଦେଖିବାକୁ ମିଳିବ । ଯଦି ଆପଣଙ୍କ ପାଖରେ Google Phone ଆପର ଭର୍ସନ ୧୮୬ ଅଛି, ତେବେ ଆପଣଙ୍କୁ ଏହି ନୂଆ ଡିଜାଇନ୍ ମିଳିପାରେ । ଆପର ସେଟିଙ୍ଗସକୁ ଯାଇ ଆପଣ Gestures ଏବଂ Navigation କୁ ନିଜ ସୁବିଧା ଅନୁସାରେ ସେଟ୍ କରିପାରିବେ । ତେବେ ବର୍ତ୍ତମାନ ପୁରୁଣା ଡିଜାଇନକୁ ଫେରିଯିବାର କୌଣସି ବିକଳ୍ପ ଉପଲବ୍ଧ ନାହିଁ ।