କନକବ୍ୟୁରୋ : କୋରାପୁଟ କୋଟିଆ ପ୍ରୋଟେଷ୍ଟର ଦିନକ ପରେ ଓଡ଼ିଶା ପାଳିବ ଉତ୍କଳ ଦିବସ। କିନ୍ତୁ ବିନା ଦ୍ୱିଧାରେ କୋଟିଆରେ ପ୍ରବେଶ କରୁଛି ଆନ୍ଧ୍ର । ଓଡ଼ିଶା ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତର ୨୧ଟି ଗ୍ରାମକୁ ନେଇ  ଅନେକ ବର୍ଷ ଧରି ତିକ୍ତତା ଲାଗିଛି  ।  ସୀମା ବିବାଦ ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି । ତଥାପି କୋଟିଆ ମୋହ ଛାଡ଼ି ପାରୁନି ଆନ୍ଧ୍ର ।  ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ କୋଟିଆ ସମସ୍ୟାର ସମାଧାନ କରିବା ଉଚିତ ବୋଲି କହିଛନ୍ତି ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡ଼ାମ୍  ।  ଉତ୍କଳ ଦିବସ ପାଳନ ପୂର୍ବରୁ ଓଡିଶା ଗାଁକୁ ନେଇ ପଡ଼ୋଶୀର ଷଡ଼ଯନ୍ତ୍ର । ସୁପ୍ରିମକୋର୍ଟରେ ମାମଲା ବିଚାରଧିନ । ହେଲେ ବିବାଦୀୟ କୋଟିଆରେ ଅନୁପ୍ରବେଶ କରି ପୁଣି ନିଜ ପତିଆରା ଦେଖାଇଛି ଆନ୍ଧ୍ର । ଆନ୍ଧ୍ର ଅଧିକାରୀ ନେରେଡିୱାଲାସା ଗାଁରେ ପଶି ଇ-କେୱାଇସି କରାଇଛନ୍ତି  ।

Advertisment

ଭତ୍ତା ହିତାଧିକାରୀ, ଛାତ୍ରଛାତ୍ରୀ, ଦିବ୍ୟାଙ୍ଗଙ୍କୁ ଏକାଠି କରି ଆଧାର ଅପଡେଟ୍‌ କରିଛନ୍ତି । କୋଟିଆ ଲୋକଙ୍କ ପାଖରେ ଦୁଇ ଦୁଇଟି ଆଧାରକାର୍ଡ ରହିଛି । ସେମାନେ ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା ଲାଭ ପାଉଛନ୍ତି  । ତେଣୁ କୋଟିଆବାସୀ ଆନ୍ଧ୍ର ପ୍ରୀତି ଛାଡ଼ି କେମିତି ଓଡ଼ିଶା ମୁହାଁ ହେବେ ସେ ନେଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି ବୃଦ୍ଧିଜୀବୀ ।  

କୋରାପୁଟ ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତ ଓଡ଼ିଶାର ଶେଷ ସୀମା । ସୀମାନ୍ତ ଗାଁରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାସ୍ତା, ବିଦ୍ୟାଳୟ, ପାନୀୟ ଜଳ, ଥାନା ଓ ମେଡିକାଲ ଭଳି ଅନେକ ଉନ୍ନତିମୂଳକ କାର୍ଯ୍ୟ କରାଯାଇଛି । ମହିଳାଙ୍କୁ ସୁଭଦ୍ରାରେ ସାମିଲ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ତଥାପି କୋଟିଆ ବାସୀଙ୍କ ମନରୁ ଓଡ଼ିଶା ପ୍ରୀତି ଦୂର କରି ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ଚକ୍ରାନ୍ତ ଚଳାଇଛି ଆନ୍ଧ୍ର । ସେମାନଙ୍କ ମିଛ ପ୍ରତିଶ୍ରୁତିକୁ ଭରସା କରି ଫସି ଯାଉଛନ୍ତି ନିରୀହ ଆଦିବାସୀ  ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କୋଟିଆ ସମସ୍ୟା ସମାଧାନ କରିବା ଉଚିତ୍‌ ବୋଲି କହିଛନ୍ତି ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ୍‌ । ଯଦି ଏବେ ଠାରୁ ଜିଲ୍ଲା ପ୍ରଶାସନ କି ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ନଦେବେ ତେବେ ଆଗାମୀ ଦିନରେ କୋଟିଆ ପଞ୍ଚାୟତ ଓଡ଼ିଶା ହାତରୁ ଖସିଯିବାର ଆଶଙ୍କାକୁ ଏଡାଇ ଦିଆଯାଇପାରେନା ।