କନକ ବ୍ୟୁରୋ : ଅନଲାଇନ ଅର୍ଡର କରୁଥିଲେ ସାବଧାନ । ଏବେ ପାର୍ସଲରେ ଆସୁଛି ମୃତଦେହ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ଆନ୍ଦ୍ରପ୍ରଦେଶରୁ । ଘରକୁ ପାର୍ସଲ ଆସିଥିଲା। ସମସ୍ତେ ଭାବୁଥିଲେ ପାର୍ସଲ ଭିତରେ ଘରର ବୈଦ୍ୟୁତିକ ଉପକରଣ ରହିଛି । ଘରର ଜଣେ ମହିଳା ମଧ୍ୟ ପାର୍ସଲ ପାଇବା ପରେ ଏହାକୁ ଉତ୍ସାହର ସହ ଖୋଲିଥିଲେ। କିନ୍ତୁ ପାର୍ସଲ ଭିତରୁ ବାହାରିଥିବା ଜିନିଷ ଦେଖି ମହିଳା ଜଣଙ୍କ ପୂରା ଚକିତ ହୋଇଯାଇଛନ୍ତି। କାରଣ ପାର୍ସଲ ଭିତରୁ ବାହାରିଛି ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ। ଏଥିସହ ମୃତଦେହ ପାଖରେ ରହିଛି ଗୋଟିଏ ଧମକପୂର୍ଣ୍ଣ ଚିଠି । ଏଥିରେ ୧.୩ କୋଟି ଟଙ୍କା ତୁରନ୍ତ ଦେବାକୁ ଧମକ ଦିଆଯାଇଛି । ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲା ଉଣ୍ଡି ମଣ୍ଡଳରେ ଥିବା ୟେନଡାଗଣ୍ଡି ଗାଁରେ ଏପରି ଘଟଣା ଘଟିଛି। ମୃତଦେହ ଦେଖି ପରିବାର ଲୋକ ଆତଙ୍କିତ ହୋଇ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି । ଜିଲ୍ଲା ଏସପି ଆନନ୍ଦ ନୟୀମ ଅସିମ ନିଜେ ଗାଁରେ ପହଞ୍ଚି ତଦନ୍ତ ଚଳାଇଛି ।