କନକ ବ୍ୟୁରୋ: କେତେବେଳେ ସୀମାକୁ ନେଇ ତ ଆଉ କେତେବେଳେ ରାସ୍ତା ଓ ଖଣି ଖାଦାନକୁ ନେଇ ଓଡ଼ିଶା ଉପରେ ଲୋଲୁପ ଦୃଷ୍ଟି ପକାଇ ଆସୁଛି ପଡ଼ୋଶୀ ଆନ୍ଧ୍ର। ଆଉ ଏବେ ୩୨ ବର୍ଷ ହେଲାଣି ଜଳ କର ବାବଦକୁ କୋଟିକୋଟି ଟଙ୍କା ବକେୟା ରଖି ଜଳ ବ୍ୟବହାର କରୁଛି ।
ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ହୋଇଥିବା ଜଳ କର ଚୁକ୍ତିକୁ ଖୋଲାଖୋଲି ଉପେକ୍ଷା କରୁଛି ଆନ୍ଧ୍ର । ଓଡ଼ିଶାର ପାଣି ବ୍ୟବହାର କରି କ୍ଷେତରେ ସୁନା ଫଳାଉଥିବା ବେଳେ ୩୨ ବର୍ଷ ହେଲାଣି ଜଳକର ବାବଦକୁ ୫ କୋଟି ୯ ଲକ୍ଷ ବକେୟା ରଖିଛି । ନିଜ ଆଡ଼ୁ ସମସ୍ତ ଜଳସେଚନ ପ୍ରକଳ୍ପର ରକ୍ଷଣାବେକ୍ଷଣ ଓ ମରାମତି କରି କ୍ଷତି ସହୁଛନ୍ତି ରାଜ୍ୟ ସରକାର। ଶତାଧିକ ଥର ଜଳସେଚନ ବିଭାଗର ଚିଠି ପରେ ବି କିଛି ଉତ୍ତର ରଖୁନାହିଁ ପଡ଼ିଶା ଆନ୍ଧ୍ର।
ଜଳ କରକୁ ନେଇ ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ୧୯୭୮ରେ ଚୁକ୍ତି ହୋଇଥିଲା। ୧୯୯୧ରେ ୧ ଲକ୍ଷ ୩୫ ହଜାର ୮୩୨ ଟଙ୍କା ଓ ୧୯୯୩ ରେ ୭ ଲକ୍ଷ ୮୩ ହଜାର ୨୦୦ ଟଙ୍କା ପୈଠ କରିଛି ଆନ୍ଧ୍ର । ପରବର୍ତ୍ତୀ ସମୟରେ ଜଳ କର ବାବଦକୁ ଆଉ ଅର୍ଥ ଦେଉନଥିବା ଜଳସେଚନ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟରୁ ଜଣାପଡ଼ିଛି । ଆନ୍ଧ୍ରର ଏହି ମନମାନୀ ଉପରେ ରୋକ ଲଗାଇବା ପାଇଁ ଖୁବଶୀଘ୍ର ପଦକ୍ଷେପ ନେବାକୁ ଦାବି ହୋଇଛି।