କନକ ବ୍ୟୁରୋ: ବନ୍ୟାବିପନ୍ନ ଅଂଚଳରେ ପହଁଚିପାରୁନି ଖାଦ୍ୟ ଓ ଔଷଧ । ଏହି ସମୟରେ ସାହାରା ସାଜିଛି ଡ୍ରୋନ । ଗୋଟେପଟେ ଏନଡିଆରଏଫ ଓ ଭାରତୀୟ ସେନା ସହାୟତା ଜାରି ରଖିଥିବାବେଳେ ରାଜ୍ୟ ସରକାର ଡ୍ରୋନ ସାହାଯ୍ୟରେ ଲୋକଙ୍କ ନିକଟରେ ଖାଦ୍ୟ, ପାନୀୟ ଓ ଔଷଧ ପଠାଉଛନ୍ତି । ଥରକେ ୮ରୁ ୧୦କେଜି ଓଜନର ଖାଦ୍ୟ, ପାନୀୟ ଓ ଔଷଧ ଡ୍ରୋନ ମାଧ୍ୟମରେ ପଠାଯାଉଛି । ପ୍ରଥମ ପର୍ୟ୍ୟାୟରେ ୧୫ଟି ଡ୍ରୋନକୁ ବ୍ୟବହାର କରାଯାଉଛି । ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଲଗାଣ ବର୍ଷା ବନ୍ୟା ସ୍ଥିତି ସୃଷ୍ଟି କରିଛି । ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ଉଭୟ ରାଜ୍ୟରେ ବର୍ଷା ଏବଂ ବନ୍ୟା ଜନିତ ମୃତ୍ୟୁସଂଖ୍ୟା ୩୫ରେ ପହଞ୍ଚିଲାଣି ।  ତେଲେଙ୍ଗାନାରେ ୧୫ ଜଣଙ୍କର ଏବଂ ଆନ୍ଧ୍ରପ୍ରଦେଶରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଲୋକ ନିଖୋଜ ନେଇ ମଧ୍ୟ ସୂଚନା ରହିଛି । ବର୍ଷା‌ ଏବଂ ବନ୍ୟା ଜଳରେ ଫସିଥିବା ହଜାର ହଜାର ଲୋକଙ୍କୁ ଜାତୀୟ ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଦଳ ଦ୍ୱାରା ଉଦ୍ଧାର କରି ରିଲିଫ୍‌ ଶିବିରରେ ରଖାଯାଇଛି । ଉଭୟ ରାଜ୍ୟରେ ୧୦୦ରୁ ଅଧିକ ଟ୍ରେନ୍‌ ବାତିଲ କରାଯାଇଥିବାବେଳେ ଅନେକ ଟ୍ରେନ୍‌ର ଦିଗ ପରିବର୍ତ୍ତନ କରାଯାଇଛି ।