କନକ ବ୍ୟୁରୋ : ବର୍ତ୍ତମାନ ସମୟରେ ନେଟ୍‌ୱର୍କ ମୌଳିକ ଆବଶ୍ୟକତା ପାଲଟିଯାଇଛି । ରାସନକାର୍ଡ, ଆଧାରକାର୍ଡ, ଭତ୍ତା ଭଳି ବିଭିନ୍ନ ସରକାରୀ ଯୋଜନାରେ ସାମିଲ ହେବାକୁ ହେଲେ ନେଟୱର୍କ ଜରୁରୀ । ରାୟଗଡ଼ାର ଆନ୍ଧ୍ର-ଓଡ଼ିଶା ସୀମାନ୍ତ ମରମା ପଞ୍ଚାୟତରେ ନେଟ୍‌ୱର୍କ ଉପଲବ୍ଧ ହୋଇପାରୁନି । ପଡ଼ୋଶୀ ଆନ୍ଧ୍ରର ନେଟୱର୍କ ପାଲଟିଛି ଭରସା ।ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକର ମରମା ପଞ୍ଚାୟତ। ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଥିବା ଦୁର୍ଗମ ଅପହଞ୍ଚ ଅଞ୍ଚଳ। ବହୁ ବର୍ଷ ପୂର୍ବେ ଏଠାରେ ମାଓବାଦୀଙ୍କ ଚଳପ୍ରଚଳ ଥିଲା। ମାଓ ଭୟରେ ସରକାରୀ ବାବୁ ଓ ରାଜନେତାଙ୍କ ପାଦ ପଡ଼ୁନଥିଲା। ସମୟ ସ୍ରୋତରେ ସବୁ କିଛି ବଦଳିଯାଇଛି। କିନ୍ତୁ ଆଜି ବି ଅପହଞ୍ଚ ପଞ୍ଚାୟତରେ ମୋବାଇଲ୍‌ ନେଟ୍‌ୱର୍କ ଉପଲବ୍ଧ ହୋଇପାରିନି । 

Advertisment

ଦୀର୍ଘ ବର୍ଷ ପୂର୍ବେ ମରମା ଓ ପାରିଡ଼ି ଗାଁରେ ଭାରତୀୟ ସଞ୍ଚାର ନିଗମ ଲିମିଟେଡ ପକ୍ଷରୁ ଟାୱାର ନିର୍ମାଣ କରାଯାଇଥିଲା, କିନ୍ତୁ କାର୍ଯ୍ୟକ୍ଷମ ହୋଇପାରୁନି। ଫଳରେ ଆନ୍ଧ୍ର ଶ୍ରୀକାକୁଲମର ଭାମିନୀ ଗାଁ ନେଟୱର୍କ ପଞ୍ଚାୟତବାସୀଙ୍କ ଭରସା! ପାଲଟିଛି। ତାହା ବି ସଠିକ ଭାବେ ଆସେନି। ସେଥିପାଇଁ ଜରୁରୀକାଳୀନ ପରିସ୍ଥିତିରେ କିଛି ଦୂରରେ ଥିବା ପାହାଡ଼ ନିକଟକୁ କିମ୍ବା ଗଛ ଚଢ଼ିଲେ ମୋବାଇଲ୍‌ରେ ସିଗ୍‌ନାଲ୍‌ ଆସୁଛି। ସିଏ ବି ସବୁବେଳେ ନୁହେଁ, କେବେ କେବେ ।

୨୨ ଖଣ୍ଡ ଗାଁକୁ ନେଇ ଗଠିତ ମରମା ପଞ୍ଚାୟତ। ଗାଁକୁ ନେଟ୍‌ୱର୍କ ଆସୁନଥିବାରୁ ଛାତ୍ରଛାତ୍ରୀଙ୍କ ଅନ୍‌ଲାଇନ୍‌ ପାଠପଢ଼ା, ରାସନକାର୍ଡ, ଆଧାରକାର୍ଡ, ଭତ୍ତା ଭଳି ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ଲୋକେ। ଏ ନେଇ ପଞ୍ଚାୟତବାସୀ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ହୋଇଛି, କିନ୍ତୁ ଫଳ ଶୂନ । ୨୦୩୬ ସୁଦ୍ଧା ବିକଶିତ ଭାରତର ପରିକଳ୍ପନା କରୁଛନ୍ତି ସରକାର। ରାୟଗଡ଼ା ଓ କୋରାପୁଟର ପ୍ରତ୍ୟେକ ଗାଁକୁ ମୋବାଇଲ ସେବା ଯୋଗାଇ ଦିଆଯିବ ବୋଲି ମାନ୍ୟବର ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଥିଲେ । ଆଜିବି ରାୟଗଡ଼ାର ୧୪୯ ଓ କୋରାପୁଟର ୮୯ ଗାଁରେ ନେଟୱର୍କ ସେବା ଉପଲବ୍ଧ ହୋଇପାରିନି ।