କନକ ବ୍ୟୁରୋ :ଦିଲ୍ଲୀ ବିଧାନସଭା ନିର୍ବାଚନ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ସନ୍ଧ୍ୟା ୫ଟାରେ ସରିଯିବ ନିର୍ବାଚନ ପ୍ରଚାର । ଏହାପରେ ଫେବ୍ରୁଆରି ୫ ତାରିଖରେ ଦେଢକୋଟିରୁ ଅଧିକ ଭୋଟର ଭୋଟ ଦେଇ ବାଛିବେ ନେତା ଓ ସରକାର । ପ୍ରଚାରରେ ଶେଷ ଦିନ ହୋଇଥିବାରୁ ସବୁ ରାଜନୈତିକ ଦଳ ନିଜର ହଭିୱେଟ ନେତାଙ୍କୁ ମୈଦାନକୁ ଓହ୍ଲାଇ ଜୋରସୋରରେ ପ୍ରଚାର କରୁଛନ୍ତି । ସକାଳୁ ସନ୍ଧ୍ୟା ଯାଏଁ ଜନସଭା, ରେଲି, ରୋଡ ସୋ, ପଦଯାତ୍ରା, ଜନସଂପର୍କ ଯାତ୍ରାରେ ପ୍ରଚାର ରାଜନୀତି ସରଗରମ ରହିବ । ଜନତାଙ୍କ ମନ ଜିଣିବାକୁ ବିଜେପି, କଂଗ୍ରେସ, ଆମ ଆଦାମୀ ପାର୍ଟି ସମେତ ସବୁ ରାଜନୈତିକ ଦଳ ନିଜର ସମସ୍ତ ଶକ୍ତି ଖଟାଇଦେବେ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ଦଳର ଷ୍ଟାର ପ୍ରଚାରକ ଓ ହେଭିୱେଟ ନେତା । ଦିଲ୍ଲୀର ୭୦ ବିଧାନସଭା ଆସନରେ ଏଥର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ୬୯୯ ଜଣ ପ୍ରାର୍ଥୀ । ୫ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଆରମ୍ଭ ହୋଇଯାଇଛି ପୋଷ୍ଟାଲ ଭୋଟ୍ ।
ସେପଟେ ଭୋଟ ପାଇଁ ଦିଲ୍ଲୀରେ ମୋଟ ୧୩ ହଜାର ୭୬୬ ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ସେଥିମଧ୍ୟରୁ ୭୦ଟି ପୋଲିଂ ସେଣ୍ଟର କେବଳ ମହିଳାଙ୍କ ପାଇଁ, ୭୦ଟି ମତଦାନ କେନ୍ଦ୍ର ଦିବ୍ୟାଙ୍ଗଙ୍କ ପାଇଁ ରହିବ । ଏହାଛଡ଼ା ମତଦାନରେ ଯୁବ ଭୋଟରଙ୍କ ସହଭାଗିତା ବଢାଇବା ପାଇଁ ୭୦ଟି ସ୍ୱତନ୍ତ୍ର ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ନିର୍ବାଚନ ପ୍ରକ୍ରିୟା ସୁଚାରୁ ରୁପେ ସଂପନ୍ନ କରାଇବା ପାଇଁ ୧ ଲକ୍ଷରୁ ଅଧିକ କର୍ମଚାରୀ ନିୟୋଜିତ ହେବେ । ସେହିପରି ଆଇନଶୃଙ୍ଖଳା ସମ୍ଭାଳିବାକୁ ନିୟୋଜିତ ହେବେ ୩୫ ହଜାର ଯବାନ, ୧୯ ହଜାର ହୋମଗାର୍ଡ ଓ ୨୨୦ କେନ୍ଦ୍ରୀୟ ସୁରକ୍ଷା ବଳ କମ୍ପାନୀ ।
କେଜ୍ରିୱାଲଙ୍କୁ ଆନ୍ଧ୍ରମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ
ସେପଟେ ଚନ୍ଦ୍ରବାବୁଙ୍କ ଟାର୍ଗେଟରେ କେଜ୍ରିୱାଲ । ଦିଲ୍ଲୀରେ ଆପ ସରକାର ବିଫଳ ହେବା ସହ ସମସ୍ତ ବିକାଣ ମଡେଲ ଫେଲ ହୋଇଥିବା କହିଛନ୍ତି ଆନ୍ଧ୍ରମୁଖ୍ୟମନ୍ତ୍ରୀ । ଏଥିସହ ବିଜେପି ଓ ମୋଦୀ ସରକାରଙ୍କ ଭୁରି ଭୁରି ପ୍ରଶଂସା କରିବା ସହ ଚନ୍ଦ୍ରବାବୁ କହିଛନ୍ତି, ଯଦି ଦିଲ୍ଲୀରେ ବିଜେପି ସରକାର ଥାନ୍ତା ତେବେ ରାଜଧାନୀ ଦିଲ୍ଲୀ ଆମେରିକା ପରି ବିକାଶ କରିଥାନ୍ତା । ଏଥିସହ ଦିଲ୍ଲୀରେ ହାପ ଇଞ୍ଜିନ ସରକାର ଚାଲିଥିବା କହି କଟାକ୍ଷ କରିଛନ୍ତି ଚନ୍ଦ୍ରବାବୁ ।