କନକ ବ୍ୟୁରୋ: ଅସ୍ବାସ୍ଥ୍ୟକର ପରିବେଶ ପାଇଁ ଇଣ୍ଡିଆନ୍ ଓପନ୍ ବ୍ୟାଡମିଣ୍ଟନ୍ ବିବାଦରେ ଥିଲା ବେଳେ ଦିଲ୍ଲୀର ମାତ୍ରାଧିକ ବାୟୁ ପ୍ରଦୂଷଣ ମଧ୍ୟ ଏହି ପ୍ରତିଯୋଗିତାର ଛବିକୁ ଖରାପ କରି ଚାଲିଛି । ଦିଲ୍ଲୀର ଏକ୍ୟୁଆଇ ସ୍ତର ଅତିବିପଜ୍ଜନକ ଶ୍ରେଣୀରେ ଥିବାରୁ ଏହାକୁ ଦ୍ବାହି ଦେଇ ବିଶ୍ବମାନ୍ୟତାର ତୃତୀୟ ସ୍ଥାନରେ ଥିବା ଡେନମାର୍କ ଖେଳାଳି ଆଣ୍ଡର୍ସ ଆଣ୍ଟନସେନ୍ ଏଥିରୁ ଓହରି ଯାଇଛନ୍ତି । ଏଥିଲାଗି ବିଶ୍ବ ବ୍ୟାଡମିଣ୍ଟନ୍ ମହାସଂଘ ତାଙ୍କୁ ୫,୦୦୦ ଡଲାର ବା ପାଖାପାଖି ସାଢ଼େ ଚାରି ଲକ୍ଷ ଟଙ୍କା ଜରିମାନା କରିଛି । ଚାରି ଥର ବିଶ୍ବ ଚାମ୍ପିଅନସିପ୍ ପଦକ ବିଜେତା ଆଣ୍ଟନସେନ୍ କିନ୍ତୁ ଏହାକୁ ଖାତିର କରି ନାହାନ୍ତି । ଜରିମାନା ହେଉପଛେ ମୁଁ ଏହି ପ୍ରତିଯୋଗିତା ଖେଳିବି ନାହିଁ ବୋଲି ରୋକ୍ଠୋକ୍ ଭାବେ ଆୟୋଜକଙ୍କୁ ଜଣାଇ ଦେଇଛନ୍ତି ସେ ।
ଏହା ବି ପଢ଼ନ୍ତୁ; ଇଣ୍ଡିଆ ଓପନ ବ୍ୟାଡମିଣ୍ଟନ : ଅସ୍ୱାସ୍ଥ୍ୟକର ଖେଳ ପରିବେଶକୁ ନେଇ ଡେନମାର୍କ ଖେଳାଳିଙ୍କ ଅସନ୍ତୋଷ
ଏହା ପୂର୍ବରୁ ଅନ୍ୟତମ ଡେନମାର୍କ ଖେଳାଳି ଡେନନ୍ମିଆ ଫିଜଫିଲ୍ଟ ମଧ୍ୟ ଅସ୍ବାସ୍ଥ୍ୟକର ଖେଳ ପରିବେଶ ନେଇ ଆପତ୍ତି ଉଠାଇ ସାରିଛନ୍ତି । ଗତ ଦୁଇବର୍ଷ ହେବ ମଧ୍ୟ ଆଣ୍ଟନସେନ୍ ଏହି କାରଣରୁ ଶେଷ ମୁହୂର୍ତ୍ତରେ ଇଣ୍ଡିଆନ୍ ଓପନ୍ରୁ ଓହରି ଯାଇଥିଲେ । ସେହିଭଳି ଚଳିତବର୍ଷ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ବିଶ୍ବ ଚାମ୍ପିଅନସିପ୍ରେ ସେ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ସେ ମଧ୍ୟ ଏଥିନେଇ କୌଣସି ସ୍ପଷ୍ଟ ମତା ମତ ରଖି ନାହାନ୍ତି । ବିଶ୍ବ ଚାମ୍ପିଅନ୍ସିପ୍ ଚଳିତବର୍ଷ ଅଗଷ୍ଟ ମାସରେ ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇନ୍ଡୋର ଷ୍ଟାଡିୟମ୍ରେ ଖେଳାଯିବାର ଅଛି । ଏଥନେଇ ବିଶ୍ବବ୍ୟାଡମିଣ୍ଟନ୍ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛି ।
Follow Us