କନକ ବ୍ୟୁରୋ: ମହିଳାଙ୍କ ଖାତାକୁ ଆସିଛି ସୁଭଦ୍ରା ଟଙ୍କା । ବାରିପଦା ସମାବେଶରୁ ମହିଳାଙ୍କୁ ସୁଭଦ୍ରା ଟଙ୍କା ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୩୫ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯାଇଛି । ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ବଣ୍ଟନ ପାଇଁ ବାରିପଦା ଛଉ ପଡିଆରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସୁଭଦ୍ରା ଯୋଜନାରେ ଏପର୍ଯ୍ୟନ୍ତ ୧ କୋଟିରୁ ଅଧିକ ମହିଳା ପଞ୍ଜିକରଣ କରିସାରିଛନ୍ତି। ତେବେ ଯେଉଁମାନେ ଏହି ପର୍ଯ୍ୟାୟରେ ସାମିଲ ହେବେ ନାହିଁ ସେମାନଙ୍କୁ ନିରାଶ ନହେବାକୁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ।

Advertisment

ହେଲେ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆସିବା ପରେ ଯେଉଁମାନଙ୍କୁ ଟଙ୍କା ମିଳିନି ସେମାନେ ନିରାଶ ହୋଇଛନ୍ତି । ଦୁଇଟି କିସ୍ତିରୁ ବାଦ ପଡିବା ପରେ ସେମାନେ ନିଜ ପ୍ରତିକ୍ରିୟା ରଖିଛନ୍ତି । ଆଉ ନିରାଶ ହୋଇ କହିଛନ୍ତି ଆମେ ଆବେଦନ କରିଛୁ ହେଲେ ଆମକୁ ଟଙ୍କା ଆସିନି । ତଥାପି କିଛି ମହିଳା ଏବେ ବି ଆଶାରେ ରହିଛନ୍ତି ଟଙ୍କା ନିଶ୍ଚିତ ଆସିବ । 

ସେହିପରି ଯେଉଁ ମହିଳାମାନେ ପାଇଛନ୍ତି ସେମାନେ ବେଶ ଖୁସି ଅଛନ୍ତି । ଆଉ ସୁଭଦ୍ରା ଟଙ୍କାରେ କିଏ କହୁଛନ୍ତି ବ୍ୟବସାୟ କରିବେ ତ କିଏ ଛେଳି, ସିଲେଇ ମେସିନ କିଣି ନିଜ ବ୍ୟବସାୟକୁ ଆଗକୁ ବଢାଇବ । ହେଲେ ସବୁଠାରୁ ବଡ କଥା ହେଉଛି ସୁଭଦ୍ରା ଯୋଜନାରେ ଏଯାଏଁ ୧ କୋଟି ୬୦ ହଜାର ମହିଳା ପଞ୍ଜିକରଣ କରିଛନ୍ତି ହେଲେ ଦୁଇଟି ପର୍ଯ୍ୟାୟରେ ୬୦ ଲକ୍ଷ ୧୧ ହଜାର ମହିଳାଙ୍କୁ ଟଙ୍କା ମିଳିଛି । ତେବେ ପ୍ରଶ୍ନ ଉଠୁଛି ଆଉ ୪୦ ଲକ୍ଷ ୪୯ ହଜାର ମହିଳାଙ୍କୁ କେବେ ମିଳିବ ଟଙ୍କା?