କନକବ୍ୟୁରୋ: ନର୍ଥ କୋରିଆର ତାନାଶାହ କିମ୍‌ ଜଙ୍ଗ ଉନ୍ ପୁଣି ଥରେ ନିଜ କଠୋର ନୀତି ପାଇଁ ଚର୍ଚ୍ଚାକୁ ଆସିଛନ୍ତି। କାମରେ ଅବହେଳା ପାଇଁ ନିଜର ୩୦ ଅଧିକାରୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଉତ୍ତର - କୋରିଆ ରାଷ୍ଟ୍ରପତି। ସମସ୍ତଙ୍କୁ ସାର୍ବଜନୀନ ସ୍ଥାନରେ ଫାଶୀ ଦଣ୍ଡ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ତାନାଶାହ। ଦକ୍ଷିଣ- କୋରିଆ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଉତ୍ତର- କୋରିଆରେ ଆସିଥିବା ଭୟଙ୍କର ବନ୍ୟା ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଅସମର୍ଥ ହୋଇଥିଲେ ଏହି ସବୁ ଅଧିକାରୀ।

Advertisment

ପ୍ରବଳ ବର୍ଷା ଓ ଭୂସ୍ଖଳନ ପାଇଁ ଗତ ଜୁଲାଇ ମାସରେ ଉତ୍ତର କୋରିଆରେ ଭୟଙ୍କର ବନ୍ୟା ଦେଖିବାକୁ ମିଳିଥିଲା। ଏହି ସମୟରେ ପ୍ରାୟ ୧ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା, ୪ ହଜାରରୁ ଅଧିକ ଘର ନଷ୍ଟ ହୋଇ ଯାଇଥିଲା। ନିଜେ ରାଷ୍ଟ୍ରପତି କିମ୍‌ ଜଙ୍ଗ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ। ତେବେ ମୃତାହତକୁ ନେଇ ଆସିଥିବା ରିପୋର୍ଟକୁ ଖାରଜ କରିଥିଲେ ଉତ୍ତର କୋରିଆ ପ୍ରଶାସନ। ଶେଷରେ ଏ ଦିଗରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଷ୍ଟ୍ରପତି କିମ୍ ଜଙ୍ଗ ଉନ୍‌।

ଶେଷରେ ୩୦ ଜଣ ଅଧିକାରୀଙ୍କ ବିରୋଧରେ ଭ୍ରଷ୍ଟାଚାର ଓ କାମରେ ଅବହେଳା ନେଇ ତଥ୍ୟ ମିଳିବା ପରେ ଉକ୍ତ ଅଧିକାରୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଉତ୍ତର କୋରିଆ ତାନାଶାହ। ତେବେ ବର୍ତ୍ତମାନ ସୁଦ୍ଧା ଅଧିକାରୀଙ୍କ ପରିଚୟ ବାହାରକୁ ଆସିନାହିଁ। ସବୁବେଳେ ନିଜ କଠୋର ଓ ଶକ୍ତ କାର୍ୟ୍ୟାନୁଷ୍ଠାନ ପାଇଁ ଜଣାଯାଆନ୍ତି ରାଷ୍ଟ୍ରପତି କିମ୍ ଜଙ୍ଗ୍।