କନକ ବ୍ୟୁରୋ: ଅଥଳ ସମୁଦ୍ର ଗର୍ଭରୁ ଜନ୍ମ ନେଇଛି ବାରିପଦା ସହର। ବାରିପଦା ସହର ନିକଟରୁ ପୁରାତନ ଜୀବାଶ୍ମ ଭଣ୍ଡାର ଠାବ ହୋଇଛି । ମିଳୁଥିବା ଜୀବର ସଂରକ୍ଷିତ ଶାରୀରିକ ଅବଶେଷ' ହାଡ, ଦାନ୍ତ, ଖୋଳ, ପତ୍ର ଅନେକ ତଥ୍ୟ ସାମ୍ନାକୁ ଆସୁଛି। ସେଗୁଡ଼ିକୁ ସଂରକ୍ଷିତ କରି ରଖିବାକୁ ଦାବି ହୋଇଛି।
ବାରିପଦାର ଗୁମର, ସମୁଦ୍ର ଗର୍ଭର ସହର । ବିଶ୍ୱାସ ନ ହେଲେ ବି ସତ। ଜୀବାଶ୍ମରୁ ମିଳିଲା ସଙ୍କେତ, ଗବେଷକ ଖୋଜୁଛନ୍ତି ଅତୀତ। ବର୍ଷ ବିତିଲାଣି ୧୨ ନିୟୁତ । ଫସିଲ୍ ବା ଜୀବାଶ୍ମ, ପୃଥିବୀର ଅତୀତକୁ ଦର୍ଶାଉଥିବା ଏକ ଝରକା। ଯାହା' ଜୀବନର ଇତିହାସ ଏବଂ ପୃଥିବୀର ଭୂତାତ୍ତ୍ୱିକ ପ୍ରକ୍ରିୟା ସମ୍ବନ୍ଧରେ ଅମୂଲ୍ୟ ତଥ୍ୟ ପ୍ରଦାନ କରେ। ପ୍ରାଚୀନ ଯୁଗରେ ବସବାସ କରୁଥିବା ଜୀବଜନ୍ତୁଙ୍କ ସଂରକ୍ଷିତ ଅବଶେଷ, ଛାପ ବୋଲି କୁହାଯାଏ। ବାରିପଦା ସହର ସଂପର୍କୀତ କିଛି ଅକୁହା ତଥ୍ୟ ଏବେ ସାମ୍ନାକୁ ଆସିଛି।
"ବାରିପଦା ଜୀବାଷ୍ମ ଶଯ୍ୟା"ରୁ ଭୂତାତ୍ବିକ ବୈଜ୍ଞାନିକମାନେ ଜୀବାଷ୍ମ ଉଦ୍ଧାର କରି ହଜାର ହଜାର ବର୍ଷପୂର୍ବର ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛନ୍ତି। ବାରିପଦା ସହର ପାଖରୁ ସାତପଉଟିଆ, ଉସୁରଡିହି, ଇଟାମୁଣ୍ଡିଆ, ମୁକୁରମାଟିଆ, ପ୍ରତାପପୁର ପର୍ୟ୍ୟନ୍ତ ବୁଢ଼ାବଳଙ୍ଗ ନଦୀ ପାର୍ଶ୍ୱରେ ଅବସ୍ଥିତ ଅଞ୍ଚଳକୁ ..'ବାରିପଦାର ଜୀବାଶ୍ମ ଶଯ୍ୟା' ବା ବାରିପଦା ଫସିଲ୍ ବେଡ୍ ବୋଲି କୁହାଯାଉଛି। ସେଠାରୁ ସାମୁଦ୍ରିକ ମେରୁଦଣ୍ଡୀ ଓ ଅମେରୁଦଣ୍ଡୀ ପ୍ରାଣୀଙ୍କ ଜୀବାଶ୍ମ ମିଳିଛି। ସାର୍କ ଦାନ୍ତ, କିରଣ ମେରୁଦଣ୍ଡ, ମାଛର ହାଡ ଅବଶିଷ୍ଟାଂଶ, ମଲୁସ୍କ ଏବଂ ଫୋରାମିନିଫର ଉଦ୍ଧାର ହୋଇଛି। ଜୀବାଶ୍ମ ଗୁଡ଼ିକ କାଳ କ୍ରମରେ ବାଲୁକାପଥର, ଶେଲ୍ ଏବଂ ଚୂନପଥର ୟୁନିଟ୍ରେ ରହିଛି। ଏଗୁଡ଼ିକ ପ୍ରାୟ ୧୨ ନିୟୁତ ବର୍ଷ ପୂର୍ବର ବୋଲି ଗବେଷକ ମତ ଦେଇଛନ୍ତି। ଏହା ଉପରେ ଅଧିକ ଅଧ୍ୟୟନ କରାଗଲେ ଆହୁରି ଅନେକ ତଥ୍ୟର ଉନ୍ମଚନ ହୋଇପାରିବ ବୋଲି ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ପ୍ରଫେସର ଓ ବିଦ୍ୟାର୍ଥୀଙ୍କ କହିଛନ୍ତି।
ବାରିପଦା ଫସିଲ୍ ବେଡ୍ ବା ଜୀବାଷ୍ମ ଶଯ୍ୟା ଏକ ଭୌଗୋଳିକ ଗଠନ। ସେଠାରୁ ମିଳୁଥିବା ଜୀବାଷ୍ମ କହୁଛି, ବାରିପଦା ସହର ଏବଂ ଏହାର ଆଖପାଖ ଅଞ୍ଚଳ ଦିନେ ସମୁଦ୍ର ଗର୍ଭରେ ଥିଲା। କାଳକ୍ରମେ ଜଳଭାଗରୁ ସ୍ଥଳଭାଗରେ ପରିଣତ ହୋଇଛି। ପ୍ରାକୃତିକ ସୌନ୍ଦର୍ୟ୍ୟରେ ଭରପୁର ତଥା ରତ୍ନ ଗର୍ଭା ମୟୂରଭଞ୍ଜର ଏହି ଜୀବାଷ୍ମ ଶଯ୍ୟା ପୃଥିବୀର ଅନେକ ଫସିଲ୍ ସାଇଟ୍ ମଧ୍ୟରୁ ଅନ୍ୟତମ ଏବଂ ବିରଳ। ଏହାର ରକ୍ଷଣାବେକ୍ଷଣ ସହ ଏକ "ଫସିଲ୍ ପାର୍କ" ରେ ପରିଣତ କରିବାକୁ ଗବେଷକ ଦାବି କରିଛନ୍ତି।