କନକ ବ୍ୟୁରୋ: ପୁଣି ଚର୍ଚ୍ଚା ପରିସରକୁ ଆସିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ବାଙ୍ଗରଙ୍କ ସନ୍ତାନ ଅନାୟା ବାଙ୍ଗର । ହର୍ମୋନ୍ ପରିବର୍ତ୍ତନ ଥେରାପି ଜରିଆରେ ଆର୍ଯ୍ୟନରୁ ଅନାୟା ପାଲଟିଛନ୍ତି ସେ । ଏବେ ମହିଳା କ୍ରିକେଟ ଖେଳିବାକୁ ଦାବି କରିଛନ୍ତି ଅନାୟା । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଓ ବିସିସିଆଇ ନିକଟରେ ସେ ମହିଳା କ୍ରିକେଟ ଖେଳିବାକୁ ଯୋଗ୍ୟ ଏବଂ ଉପଯୁକ୍ତ ଖେଳାଳି ବୋଲି ଦାବି ଉପସ୍ଥାପନ କରିଛନ୍ତି । ଜଣେ କ୍ରିକେଟର ଭାବରେ ତାଙ୍କ କ୍ୟାରଅରର ତଥ୍ୟ ଓ ୮ ପୃଷ୍ଠା ଭିତ୍ତିକ ଆଥ୍ଲେଟ୍ ଟେଷ୍ଟିଂ ରିପୋର୍ଟକୁ ନେଇ ସେ ଏହି ଦାବି କରିଛନ୍ତି ।
କ୍ରିକେଟ ଖେଳିବାକୁ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ଅନାୟା । କହିଛନ୍ତି, "ବିଜ୍ଞାନ କହୁଛି ମୁଁ ମହିଳା କ୍ରିକେଟ ଖେଳିବାକୁ ଉପଯୁକ୍ତ କ୍ରିକେଟର । ବର୍ତ୍ତମାନ ପ୍ରଶ୍ନ ଉଠୁଛି ବିଶ୍ୱ ଏହି ସତ୍ୟକୁ ଗ୍ରହଣ କରିବ ତ ?" ହର୍ମୋନ୍ ପରିବର୍ତ୍ତନ ଥେରାପିର ବର୍ଷକ ପରେ ଅନାୟା ମାଞ୍ଚେଷ୍ଟର ମେଟ୍ରୋପଲିଟାନ ୟୁନିଭର୍ସିଟିରେ ଏକ ଟେଷ୍ଟ କରାଇଛନ୍ତି । ଏହି ଟେଷ୍ଟ ଜରିଆର ସେ ନିଜ ଶରୀର ସମ୍ପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରିଛନ୍ତି । ଏହି ତଥ୍ୟ ମୁତାବକ ସେ ମହିଳା ଆଥ୍ଲେଟ୍ ପାଇଁ ସମସ୍ତ ମାନକ ପୂରଣ କରୁଛନ୍ତି ।
ଅନାୟା କହିଛନ୍ତି, "ପ୍ରଥମ ଥର ପାଇଁ ମୋର ଟ୍ରାନ୍ସୱିମେନ ସମ୍ପର୍କିତ ମାଞ୍ଚେଷ୍ଟର ମେଟ୍ରୋପଲିଟାନ ୟୁନିଭର୍ସିଟିର ଟେଷ୍ଟ ରିପୋର୍ଟ ମୁଁ ସର୍ବସାଧାରଣରେ ପ୍ରକାଶ କରୁଛି । ଏହା ସମ୍ପୂର୍ଣ୍ଣ ଭାବରେ ତଥ୍ୟ ଭିତ୍ତିକ । ଏହାକୁ ମୁଁ ବିସିସିଆଇ ଓ ଆଇସିସି ନିକଟରେ ଦାଖଲ କରିଛି । ଭୟ କି ବିଭାଜନ ନୁହେଁ, ସ୍ଥାନ ସୃଷ୍ଟି କରିବାକୁ ଚାହୁଛି ।"
ଗତବର୍ଷ ହର୍ମୋନ୍ ପରିବର୍ତ୍ତନ ଥେରାପି ପରଠୁ ଇଂଲଣ୍ଡରେ ରହୁଛନ୍ତି ଅନାୟା । ହେଲେ ଟ୍ରାନ୍ସଜେଣ୍ଡର କ୍ରିକେଟରମାନଙ୍କ ଅଂଶଗ୍ରହଣକୁ ଆଇସିସି ଅନୁମୋଦିତ କରିନାହିଁ । ୨୦୨୩ ବିଶ୍ୱକପ ପୂର୍ବରୁ ଆଇସିସି ବୈଠକରେ ଏହାକୁ ନିଲମ୍ବନ କରାଯାଇଛି ।